ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ପାଇଁ ବେଙ୍ଗାଲୁରୁରୁ ମାଲଦ୍ବୀପ ଅଭିମୁଖେ ଯାଉଥିବା ଗୋ ଫାଷ୍ଟର ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁ : ଗୋ ଫାଷ୍ଟର ଏକ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଶୁକ୍ରବାର ବେଙ୍ଗାଲୁରୁରୁ ମାଲଦ୍ବୀପ ଅଭିମୁଖେ ଯାଉଥିବା ବିମାନ ଜରୁରୀ ଅବତରଣ କରିଛି । ଇଞ୍ଜିନ ଅତ୍ୟଧିକ ଗରମ ହେବା ନେଇ ଆଲାର୍ମ ବାଜିବା ପରେ ବିମାନଟିକୁ ତୁରନ୍ତ କୋଏମ୍ବାଟୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ବିମାନରେ ୯୨ ଜଣ ଯାତ୍ରୀ ଥିଲେ । ତାମିଲନାଡୁ ସହର ଉପରେ ଉଡାଣ ଭରିବା ସମୟରେ ପାଇଲଟଙ୍କୁ ଧୂଆଁ ନେଇ ସୂଚନା ମିଳିଥିଲା । ପିଟିଆଇ ଅନୁସାରେ, ଦୁଇଟି ଇଞ୍ଜିନ ଅତ୍ୟଧିକ ଗରମ ହେବା ପରେ ଆଲାର୍ମ ବନ୍ଦ ହୋଇଯାଇଥିଲା । ଇଞ୍ଜିନିୟରମାନେ ଇଞ୍ଜିନ ଯାଞ୍ଚ କରି ଆଲାର୍ମରେ କିଛି ତ୍ରୁଟି ଥିବା କହିଥିଲେ । ବିମାନ ଉଡାଣ ପାଇଁ ଫିଟ୍ ଥିବା ନେଇ ଘୋଷଣା ମଧ୍ୟ କରିଥିଲେ ।

ଗୋ ଫାଷ୍ଟର ମୁଖପାତ୍ର କହିଛନ୍ତି ଯେ, ଶୁକ୍ରବାର ପାଖାପାଖି ୧୨ଟା ସମୟରେ ବିମାନ ଏୟାରବସ୍ ୩୨୦ ଉଡାଣ ଭରିଥିଲା । ଉଡାଣ ଭରିବାର ପ୍ରାୟ ୧ ଘଣ୍ଟା ପରେ ଇଞ୍ଜିନ ଅତ୍ୟଧିକ ଗରମ ହେବା ନେଇ ଆଲାର୍ମ ବାଜିଥିଲା । ପାଇଲଟ ତୁରନ୍ତ ଏୟାର ଟ୍ରାଫିକ ନିୟନ୍ତ୍ରଣ ସହ ଯୋଗାଯୋଗ କରି ନିକଟସ୍ଥ କୋଏମ୍ବାଟୁର ବିମାନବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା । ବିମାନ ଅବତରଣ କରିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାର କର୍ମଚାରୀମାନେ ରନୱେ ନିକଟରେ ରହିଥିଲେ ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି ।

Related Posts