ଗୋଆ ପଲିଟିକ୍ସ; ପାରିକରଙ୍କ ପୁଅଙ୍କ ନାମ ବିଜେପିର ପ୍ରାର୍ଥୀ ତାଲିକାରୁ ବାଦ; ସେପଟେ ଆପରେ ମିଶିବାକୁ କେଜ୍ରିୱାଲ ଦେଲେ ଅଫର

ଗୋଆ(ସତ୍ୟପାଠ ବ୍ୟୁରୋ): ଗୋଆ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସ୍ୱର୍ଗତ ବିଜେପି ନେତା ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନାମ ନଥିବାର କଥା ସାମ୍ନାକୁ ଆସିଛି । ସେପଟେ ଉତ୍ପଳ ପଣଜି ବିଧାନସଭା ଆସନରୁ ଟିକେଟ ମାଗୁଥିଲେ । କିନ୍ତୁ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଛି । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଆମ ଆଦମି ପାର୍ଟିର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ କେଜ୍ରିୱାଲ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ତେବେ ଗୋଆବାସୀ ଏଥିପାଇଁ ଦୁଃଖ ପ୍ରକାଶ କରୁଛନ୍ତି ଯେ ଅନ୍ୟମାନଙ୍କ ଭଳି ପାରିକର ପରିବାରଙ୍କୁ ମଧ୍ୟ ବିଜେପି ବ୍ୟବହାର କରି ଫିଙ୍ଗିଦେଇଛି ।

ମୁଁ ସବୁବେଳେ ମନୋହର ପାରିକର ଜୀଙ୍କୁ ସମ୍ମାନ କରିଥାଏ । ଆମ ଆଦମି ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିବାକୁ ଉତ୍ପଳ ପାରିକରଙ୍କୁ ସ୍ୱାଗତ କରୁଛି ବୋଲି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଅନ୍ୟପଟେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ପାନାଜୀ ଆସନରୁ ଟିକେଟ ବାରଣ କରାଯାଇଛି । ସେପଟେ ଦଳ ବିଧାୟକ ଆଟାନାସିଓ ମୋନସେରାଟଙ୍କ ଉପରେ ବିଶ୍ୱାସ ରଖିଛି। ମନୋହର ପାରିକରଙ୍କ ମୃତ୍ୟୁ ପରେ ଏହି ଆସନରେ ଉପ-ନିର୍ବାଚନରେ କଂଗ୍ରେସର ଅଟାନାସିଓ ମୋଣ୍ଟସେରାଟ ଜିତିଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ।

Related Posts