ନାର୍କୋ ଟେଷ୍ଟ ପାଇଁ ଗୁଜରାଟ ଗଲା ଗୋପାଳ ଦାସ

ଭୁବନେଶ୍ୱର,୯/୨(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ତାଙ୍କୁ ଅଭିଯୁକ୍ତ ଗୋପାଳ ଦାସ କାହିଁକି ହତ୍ୟା କରିଥିଲା ସେନେଇ ଏଯାବତ୍ କୌଣସି ତଥ୍ୟ ପାଇନାହିଁ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ। ତେବେ ଏହି ହତ୍ୟା ପଛର ସତ ଜାଣିବା ପାଇଁ ଗୋପାଳର ନାର୍କୋ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ। ସେଥିପାଇଁ ତାଙ୍କୁ ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଗୁଜରାଟ ଗାନ୍ଧିନଗରକୁ ନିଆଯାଇଛି। ନାର୍କୋ ଟେଷ୍ଟ ପାଇଁ ଓଡ଼ିଶାରେ ବ୍ୟବସ୍ଥା ନଥିବାରୁ ତାଙ୍କୁ ଗୁଜରାଟ ନିଆଯାଇଛି। ଗୋପାଳଙ୍କୁ ଝାରସୁଗୁଡ଼ାରୁ କୋଲକାତା ଦେଇ ଗୁଜରାଟ ନିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ବ୍ରଜରାଜନଗରରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଫାୟାରିଂ କରିଥିଲା ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ଏୟାର ଲିପ୍ଟିଂ କରାଯାଇଥିଲା। ଏଠାରେ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାଜ୍ୟ ରାଜନୀତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ାରେ ତଦନ୍ତ କରୁଛନ୍ତି। ଅଭିଯୁକ୍ତ ଗୋପାଳଙ୍କୁ ଜେରା ମଧ୍ୟ କରୁଛନ୍ତି। ଏହି ମାମଲାରେ ରାଜ୍ୟ ସରକାର ଝାରସୁଗୁଡ଼ା ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓ ଓ ଗାନ୍ଧି ଛକ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଛି।

ଅନ୍ୟପକ୍ଷରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି। ମଙ୍ଗଳବାର ଗୋପାଳଙ୍କୁ କ୍ରାଇମ୍‌ ସ୍ପଟ୍‌ ନିଆଯାଇଥିଲା। ମନ୍ତ୍ରୀଙ୍କ ଉପରକୁ ଗୋପାଳ କେମିତି ଗୁଳି ପୁଟାଇଥିଲେ? ତାହାର ଡେମୋ ଦେଖାଇଥିଲେ। ହେଲେ କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ଡରେ ନେଇଥିଲେ ସୁଦ୍ଧା ସେ କାହିଁକି ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ? କ୍ରାଇମବ୍ରାଞ୍ଚ ତାଙ୍କଠାରୁ ସତ ଓଗାଳି ପାରୁନାହିଁ। ତେଣୁ ଗୋପାଳ କୁ ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇ ନାର୍କୋ ଟେଷ୍ଟ କରିବା ପାଇଁ ତାଙ୍କୁ ଗୁଜରାଟ ନିଆଯାଇଛି।

Related Posts