ଆଦିବାସୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଦିବାସୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଗତ ୨୧ ତାରିଖରେ ଆଦିବାସୀ ଶବ୍ଦକୁ ହଟାଇ ଦେବା ପାଇଁ ଶଙ୍କରାଚର୍ଯ୍ୟ ଯୁକ୍ତି କରିଥିଲେ । ସ୍ୱାଧୀନତା ପରେ ସମାଜ ଭିତରେ ବିଭେଦ ସୃଷ୍ଟି କରିବା ପାଇଁ ଲୋକଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବା ସେ ମତ ରଖିଥିଲେ । ସବର୍ଣ୍ଣ, ଅସବର୍ଣ୍ଣ, ଦଳିତ, ଆଦିବାସୀ ଭଳି ଶବ୍ଦ ସମାଜରେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରୁଥିବାରୁ ଏହାକୁ ଉଚ୍ଛେଦ କରିଦେବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଶଙ୍କରାଚାର୍ଯ୍ୟ। ମାତ୍ର ତାଙ୍କର ଏହି ମନ୍ତବ୍ୟକୁ ଆଦିବାସୀ ସମାଜ ନାପସନ୍ଦ କରିଛି । ଏପରିକି ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଜି ଉଦୟଗିରି ଆଦର୍ଶ ଥାନରେ ମହାମହିମ ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶରେ ଏକ ଦାବି ପତ୍ର ଦିଆଯାଇଛି । ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶଙ୍କରାଚାର୍ଯ୍ୟଙ୍କ ମତ ସମଗ୍ର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପ୍ରତି ଅପମାନ ସୂଚକ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଶଙ୍କରାଚାର୍ଯ୍ୟଙ୍କ ବୟାନ ଯେଭଳି ସମାଜରେ ବିଶୃଙ୍ଖଳା ସୃଷ୍ଟି ନକରେ ସେଥିପାଇଁ ଅନୁସୂଚିତ ଜନଜାତି ନିବାରଣ ଆଇନ ଅନୁଯାୟୀ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଉଥିବା ସେ କହିଛନ୍ତି ।

Related Posts