ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମୀନତୀ ବେହେରା କହିଛନ୍ତି ଯେ, ବିଜେପିର ନାରୀଶକ୍ତି ବନ୍ଦନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି । ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କୁ ନିଜ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ପ୍ରଶ୍ନ ପଚାରି ଅପମାନିତ ଏବଂ ଆକ୍ରମଣର ଶିକାର ହେବାକୁ ପଡ଼ୁଛି ।

ଶ୍ରୀମତୀ ସୁଲତା ଦେଓ କହିଥିଲେ ଯେ, ଚାମେଲୀ ଓଝା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ଥାନୀୟ ବିଧାୟକ ଓ ବିଡିଓଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ବିଜେପି ଦଳର ସକି୍ରୟ ସଦସ୍ୟା ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରି ନ୍ୟାୟ ଭିକ୍ଷା କରୁଛନ୍ତି । ଚାମେଲୀଙ୍କ ପ୍ରତି ହୋଇଥିବା ଅପମାନ ସମଗ୍ର ନାରୀ ଜାତି ଓ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତିକରଣ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ବିଜେପି ସମର୍ଥିତ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ଯେଉଁଭଳି ଭାବେ ଆକ୍ରମଣର ଶିକାର ହୋଇଛନ୍ତି, ତାହା ବିଜେପିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଚାମେଲୀଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଉଥିବା ଲୋକଙ୍କୁ ପୋଲିସ୍ ବର୍ତ୍ତମାନ ସୁଦ୍ଧା ଗିରଫ କରିବାରେ ବିଫଳ ହୋଇଛି । ଚାମେଲୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମୋବାଇଲ ଫୋନ୍ରେ ଥିବା ଅନେକ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାକୁ ପୋଲିସ୍ ଉଦ୍ୟମ କରୁଛି । ଯେଉଁଭଳି ଭାବେ ପୋଲିସ୍ ତାଙ୍କୁ ଘୋସାରି ଘୋସାରି ନେବା ଏବଂ ପରବର୍ତ୍ତୀ ଅବସ୍ଥାରେ ଥାନା ଓ ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଚାମେଲୀଙ୍କ ବୟାନରୁ ସ୍ପଷ୍ଟ ଯେ, ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଛି । ତାଙ୍କ ବାପା ଓ ଭାଇଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି । ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ନେତୃତ୍ୱର ସୁଯୋଗ ମିଳିଥିଲା । ଆଜି ସେହି ବ୍ୟବସ୍ଥାରେ ଜଣେ ମହିଳା ପ୍ରତିନିଧିଙ୍କ ପ୍ରତି ନିର୍ଯାତନା ଅତ୍ୟନ୍ତ ଉଦ୍ବେଗଜନକ ।

ଶ୍ରୀମତୀ ମିନତୀ ବେହେରା କହିଥିଲେ ଯେ, ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ସରପଞ୍ଚ ଚାମେଲୀ ଓଝାଙ୍କୁ ସର୍ବସମ୍ମୁଖରେ ଯେଉଁଭଳି ନିର୍ଯାତନା ଓ ଅପମାନର ଶିକାର ହେବାକୁ ପଡ଼ିଲା, ତାହା ରାଜ୍ୟ ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି । ଏହା କେବଳ ଚାମେଲୀଙ୍କ ପ୍ରତି ନୁହେଁ, ସମଗ୍ର ନାରୀ ଜାତି ପ୍ରତି ଅପମାନ । ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ଅପମାନ ଦେଇ ମିଥ୍ୟା ମୋକଦ୍ଦମାରେ ଜଡ଼ିତ କରି ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଛନ୍ତି ବିଜେପି ସରକାର । ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯାଇ ସମସ୍ତ ସିସିଟିଭି ଫୁଟେଜ୍ ତୁରନ୍ତ ସାର୍ବଜନୀନ କରାଯାଉ ଏବଂ ସରପଞ୍ଚ ଚାମେଲୀ ଓଝାଙ୍କ ମୋବାଇଲ୍ ଫୋନ୍ ତୁରନ୍ତ ଫେରସ୍ତ କରାଯାଉ । ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଉ ଏବଂ ତାଙ୍କ ଅଭିଯୋଗର ନ୍ୟାୟସଙ୍ଗତ ତଦନ୍ତ କରାଯାଉ । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରସଙ୍ଗରେ କୌଣସି ପ୍ରକାରର ଅନ୍ୟାୟକୁ ବିଜେଡି ସହ୍ୟ କରିବ ନାହିଁ । ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେଡି ଏହି ପ୍ରସଙ୍ଗରେ ଆନେ୍ଦାଳନ ଓ ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି ।