ସରକାର-ସର୍ଭିସ ପ୍ରୋଭାଇଡରଙ୍କ ମିଲି-ଭଗତରେ ଠିକା କର୍ମଚାରୀଙ୍କ ଦରମା ଲୁଟ୍ – ୬ ବର୍ଷରେ ୧୦ ହଜାର କୋଟି ଟଙ୍କାର ଫାଇଦା ଉଠେଇଲେଣି ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଥାରେ ଅଛି ” ହାତରେ ନମାରି ଭାତରେ ମାର।” ଠିକା କର୍ମଚାରୀଙ୍କ ସହ ଠିକ୍ ଏମିତି କରୁଛନ୍ତି ରାଜ୍ୟ ସରକାର। ସେମାନେ କ୍ରୀତଦାସ ଭଳି ଖଟୁଛନ୍ତି, କିନ୍ତୁ ପାଉଣା ଦେବା ବେଳକୁ ସେମାନଙ୍କ ସହ ଭେଦଭାବ କରାଯାଉଛି। ସେମାନଙ୍କର ଭବିଷ୍ୟତ ସର୍ବଦା ଅନ୍ଧାରରେ। ନିଯୁକ୍ତି ପାଇବା ପର ଠାରୁ ସବୁବେଳେ ଛଟେଇର ଭୟ ଲାଗି ରହିଥାଏ । ସେମାନଙ୍କ ଚାକିରିର କୌଣସି ସର୍ତ୍ତାବଳୀ ନାହିଁ । ଅଫିସର ମାନଙ୍କ ଇସାରାରେ ଠିକା କର୍ମଚାରୀଙ୍କୁ ଉଠବସ୍ ହେବାକୁ ପଡୁଛି। କର୍ମଚାରୀଙ୍କ ଦରମା ବାବଦକୁ ସରକାର ମାସିକ ଯେତିକି ଦରମା ଦେଇଥାନ୍ତି ସେତିକି ବି ସେମାନଙ୍କ ପାଖରେ ପହଞ୍ଚି ନଥାଏ। ସେହି ଦରମାର ୮୦ରୁ ୯୦ ପ୍ରତିଶତ ସେମାନଙ୍କ ପାଖକୁ ଆସୁଥିବା ବେଳେ, ବଳକା ଅର୍ଥ ନିଯୁକ୍ତି ଯୋଗାଇଥିବା ଆଉଟ୍‌ ସୋର୍ସିଂ ସଂସ୍ଥା ପାଖକୁ ଯାଉଛି ।

ରାଜ୍ୟରେ ସେବା ଆଳରେ ବର୍ଷ ବର୍ଷ ଧରି ଏମିତି ଭାବେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଶୋଷି ଚାଲିଛନ୍ତି ସର୍ଭିସ ପ୍ରୋଭାଇଡର ଏଜେନ୍ସି । ସରକାର ସବୁ କଥା ଜାଣି ବି ନଜାଣିଲା ଭଳି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସି ପଡିଛନ୍ତି । ଏ ସଂପର୍କରେ ମାମଲା ହାଇକୋର୍ଟରେ ଗଡୁଛି । କୋର୍ଟଙ୍କ ଜବାବ ତଲବ ସତ୍ବେ ଉତ୍ତର ଦେବାକୁ ସରକାର କୁନ୍ଥକୁନ୍ଥ ହେଉଛନ୍ତି । ସମୟ ଗଡି ଚାଲିଛି, ସରକାର ସବୁ ଜାଣିଶୁଣି ଚୁପ୍ ବସିଛନ୍ତି। ରାଜ୍ୟର ଲକ୍ଷାଧିକ ଠିକା କର୍ମଚାରୀ ଓ ଆଉଟ୍‌ସୋର୍ସିଂଙ୍କ ଭାଗ୍ୟ ଏମିତି ଅନ୍ଧାରରେ ପଡି ରହିଛି ।

ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କୁ ଠକି କାମ ଆଦାୟ କରିବାର ନୂଆ ନୂଆ ଢାଞ୍ଚା ଆମ ରାଜ୍ୟ ଓଡ଼ିଶାରୁ ହିଁ ଆରମ୍ଭ ହୋଇଛି । ରାଜ୍ୟରେ ଗତ କିଛି ବର୍ଷ ହେବ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତି ଦେବାକୁ ସରକାର ପସନ୍ଦ କରୁଛନ୍ତି। ଲୋକସେବା ଭବନ ଠାରୁ ଆରମ୍ଭ କରି କଲେକ୍ଟର ଅଫିସ୍ , ବ୍ଲକ ଅଫିସ୍‌ ସବୁଠି ଆଉଟ୍‌ ସୋର୍ସିଂ ଜରିଆରେ ନିଯୁକ୍ତି ଦେଇ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ସହ ପ୍ରତାରଣା କରି ଚାଲିଛନ୍ତି ସରକାର । ଡାଟା ଏଣ୍ଟ୍ରି ଅପରେଟର, ପ୍ରୋଗ୍ରାମର, କନ୍‌ସଲଟାଣ୍ଟ, କଂପ୍ୟୁଟର ଟିଚର ସବୁଠି ଏବେ ଠିକା ନିଯୁକ୍ତି ଚାଲିଛି । ଠିକା ନିଯୁକ୍ତି ଦେଲେ ୬ ବର୍ଷ ପରେ ରେଗୁଲାର ହେବ । ରାଜକୋଷ ଉପରେ ଆର୍ଥିକ ବୋଝ ବଢ଼ିବ ତେଣୁ ଏହାକୁ ଏଡ଼ାଇବାକୁ ଯାଇ ସରକାର ଏକ ଗଳା ବାଟ ଖୋଜିଛନ୍ତି ‘ଆଉଟ୍‌ସୋର୍ସିଂ’ ଜରିଆରେ ନିଯୁକ୍ତି ।

ରାଜ୍ୟରେ ବେକାରୀ ସଂଖ୍ୟା ଚରମ ସୀମାରେ ପହଞ୍ଚି ଥିବା ବେଳେ ନିୟମିତ ନିଯୁକ୍ତି ବଦଳରେ ଠିକା ଓ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷିତ ଯୁବକ ଯୁବତୀ ଆଉଟ୍‌ସୋର୍ସିଂ ଏଜେନ୍ସି ଜରିଆରେ କାମ କରୁଛନ୍ତି । ଏ ନିଯୁକ୍ତିରେ ସେମାନଙ୍କ ମାସିକ ଦରମା ସମୁଦ୍ରକୁ ଶଙ୍ଖେ ଭଳି । 

ଶ୍ରମ କମିଶନରଙ୍କ ବିଜ୍ଞପ୍ତିର ମଜୁରୀକୁ ଯଦି ହିସାବକୁ ନିଆଯାଏ ତେବେ ଜଣେ କର୍ମଚାରୀ ସର୍ବନିମ୍ନ ୧୩,୮୦୦ ଟଙ୍କା ମାସିକ ପାଇବା କଥା । କିନ୍ତୁ ଚାକରି କରିବାର ୫ ବର୍ଷ ପରେ ବି ଏତିକି ଦରମା ମିଳିବା ସାତସପନ ହୋଇ ପଡିଛି । ତେବେ ସବୁଠାରୁ ବିଡ଼ମ୍ବନା ହେଉଛି ଦରମା ବୃଦ୍ଧି ନେଇ କର୍ମଚାରୀମାନେ ସ୍ବର ଉତ୍ତୋଳନ କରି ପାରୁ ନାହାନ୍ତି ଆଉ ସେମାନଙ୍କ ଏହି ନୀରବତା ସରକାରଙ୍କୁ ବି ସୁହାଉଛି। କିଛି ବର୍ଷ କାମ କରିବା ପରେ ବୟସ ଚାଲିଯାଏ । ଆଉ କଷ୍ଟେମଷ୍ଟେ ଚାକିରିରେ ରହିବାକୁ ପଡ଼େ । ମାସିକ ପିଏଫ୍‌ ନିୟମିତ ଜମା ହୁଏ ନାହିଁ । ସରକାରୀ ଅଫିସରେ ଯାହା ବ୍ୟବହାର ମିଳେ ନ କହିବା ଭଲ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପ୍ରତି ସରକାରଙ୍କର ଏଭଳି ବୈମାତୃକ ମନୋଭାବ କାହିଁକି ?

କିଛି ବର୍ଷ ତଳେ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ୍‌ (ଓକେସିଏଲ୍‌ )ଗଠନ ହୋଇଥିଲା। ଏହା ମାଧ୍ୟମରେ ୪ ହଜାର ହାଇସ୍କୁଲରେ କମ୍ପ୍ୟୁଟର ଟିଚର ଆଉଟ୍‌ସୋର୍ସିଂ ଜରିଆରେ ରେ ନିଯୁକ୍ତି ପାଇଲେ । କିଛି ମାସ ପରେ ଶିକ୍ଷକମାନଙ୍କୁ ଦରମା ମିଳିଲାନି । ଆନ୍ଦୋଳନ ସତ୍ତ୍ୱେ ସରକାର କିଛି ନଜାଣିବାର ଅଭିନୟ କରି ଚୁପ୍‌ ବସି ପଡିଲେ । ବଡ଼ ବଡ଼ିଆ ବାବୁଙ୍କ ସମ୍ପର୍କିୟ ମାନେ ଆଉଟ୍‌ ସୋର୍ସିଂ ସଂସ୍ଥା ଖୋଲି ନିଜ ଇଚ୍ଛାରେ ଯାହାକୁ ନାହିଁ ତାକୁ ନିଯୁକ୍ତି ଦେବେ ଏବଂ ତାଙ୍କ ଇଚ୍ଛାରେ ଚାକିରିରୁ କାଢି ବି ପାରିବେ । ସାଧାରଣ ଜନତାଙ୍କ ଟିକସ ପଇସାରେ କିଛି ନକରି ମଧ୍ୟସ୍ଥି ସାଜି ସେମାନେ ଲାଭବାନ ହେବେ। ସରକାରଙ୍କର ଏ କି ବେକାରୀ ପ୍ରେମ? ଏ ପ୍ରସଙ୍ଗରେ ସରକାର ଆଖି, କାନ ଓ ମୁହଁ ବନ୍ଦ କରି ବସିବା ପଛରେ କି ରହସ୍ୟ ଅଛି ? ୬୦ ହଜାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପରିବାରର ଭବିଷ୍ୟତ ସହ ସରକାରଙ୍କ ଏ କେଉଁ ପ୍ରକାରର ନ୍ୟାୟ? 

ଠିକା ନିଯୁକ୍ତିରେ ସରକାରଙ୍କ ପାଖରେ ବନ୍ଧା ପଡିଥିବା ଏହି ୬୫ ହଜାର କର୍ମଚାରୀଙ୍କୁ ନେଇ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କାହିଁକି ଏ କର୍ମଚାରୀମାନଙ୍କୁ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରୁଛନ୍ତି ସେ ସଂପର୍କରେ ହାଇକୋର୍ଟ ଜବାବ ମାଗିଥିଲେ କିନ୍ତୁ, ସରକାର ଜବାବ ନଦେଇ ସମୟ ଗଡ଼ାଇ ଚାଲିଛନ୍ତି । ଏ ସଂପର୍କିତ ରିଟ୍‌ ପିଟିସନର ଜବାବ ସରକାର ଏଯାଏ କୋର୍ଟକୁ ଦେଇନାହାନ୍ତି । 

ସଂଘର କହିବା କଥା ହେଉଛି ଯେ , ସରକାର ଉଦ୍ଦେଶ୍ୟମୂଳକ ଭାବେ କୋର୍ଟଙ୍କୁ ଏଡ଼ାଇ ଯିବାକୁ ଚାହୁଁଛନ୍ତି । ଗ୍ରୁପ୍‌-ବି ର ପ୍ରାୟ ୨୫ ହଜାର କର୍ମଚାରୀ ମାସିକ ୪୦ ହଜାର ବଦଳରେ ମାତ୍ର ୧୬ ହଜାର ଟଙ୍କା ପାଉଛନ୍ତି । ସେହିଭଳି ଗ୍ରୁପ୍‌-ସି ବର୍ଗର ୩୮ ହଜାର ଠିକା କର୍ମଚାରୀ ମାସିକ  ୨୫ ହଜାର ବଦଳରେ ପାଉଛନ୍ତି ମାତ୍ର ୮,୮୦୦ ଟଙ୍କା । ଏ ସମସ୍ତକୁ ହିସାବ କଲେ ୬୩ ହଜାର କର୍ମଚାରୀଙ୍କୁ ଗୋତି ଶ୍ରମିକ ଭଳି ଖଟାଇ ସରକାର ୬ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଲାଭ ଉଠାଇଛନ୍ତି । ଏହି ପ୍ରସଙ୍ଗରେ ଗତ କିଛି ଦିନ ତଳେ କଂଗ୍ରେସ ପକ୍ଷରୁ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ଏ ସବୁ ସତ୍ତ୍ବେ ବି ସରକାର ଆଉଟସୋର୍ସିଂ ସଂସ୍ଥା ପ୍ରତି ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ଚାଲିଛନ୍ତି। 

Related Posts