(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍-୧୯ର ଆଉ ଏକ ନୂଆ ଭେରିଏଣ୍ଟ ଏବେ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ନୂତନ ଭାରିଏଣ୍ଟ ହେଉଛି C.1.2 ଯାହାକି ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି। ଏ ଭେରିଏଣ୍ଟକୁ ନେଇ ହୋଇଥିବା ଏକ ଷ୍ଟଡିରେ ଦାବି କରାଯାଇଛି ଯେ ଏହା ସାରା ଦୁନିଆରେ ବ୍ୟାପିବା ସହିତ ବର୍ତ୍ତମାନ ଦିଆଯାଉଥିବା ସମସ୍ତ ଟିକାକୁ ମାତ ଦେବାର କ୍ଷମତା ରହିଛି।
ଦକ୍ଷିଣ ଆଫ୍ରିକାର ନେଶନାଲ୍ ଇନଷ୍ଟିଟ୍ୟୁଟ୍ ଅଫ କମ୍ୟୁନିକେବଲ ଡିଜିଜ (ଏନ୍ସିଆଇଡି) ର ଏହି ଅଧ୍ୟୟନ ଅନୁଯାୟୀ, C.1.2 ଭେରିଏଣ୍ଟ ପୂର୍ବ ଭେରିଏଣ୍ଟ ଠାରୁ ବି ଅଧିକ ସଂକ୍ରାମକ ହେବ। ଏହି ଭେରିଏଣ୍ଟ ସର୍ବ ପ୍ରଥମେ ଆଫ୍ରିକାରେ ଗତ ମେ ମାସରେ ଚିହ୍ନଟ ହୋଇଥିଲା। ପରେ ପରେ ଚୀନ୍, କଙ୍ଗୋ, ମରିଶନ୍, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପୁର୍ତଗାନ ଓ ସ୍ୱିଜରଲାଣ୍ଡରେ ଏହାର ଭାରିଏଣ୍ଟ ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ରୂପ ବିଷୟରେ ଜାଣିବା ପାଇଁ ପ୍ରତି ମାସରେ ସଂକ୍ରମିତଙ୍କ ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ମେ’ ମାସରେ C.1.2 ଭ୍ୟାରିଏଣ୍ଟ ୦.୨% ନମୁନାରୁ ଚିହ୍ନଟ ହୋଇଥିବା ବେଳେ ଜୁନ୍ରେ ୧.୬% ଓ ଜୁଲାଇରେ ୨%କୁ ବୃଦ୍ଧି ପାଇଥିଲା। ସେହିପରି C.1.2 ଭ୍ୟାରିଏଣ୍ଟ ବ୍ୟତୀତ ଦେଶରେ ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ୍ ଜନିତ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି।
ଏନ୍ସିଆଇଡିର ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଆଫ୍ରିକାରେ କୋଭିଡ୍-19 ମହାମାରୀର ପ୍ରଥମ ଲହରରେ ମିଳିଥିବା କେବଳ C.1 ଭେରିଏଣ୍ଟ୍ C.1.2 ହେବାରେ ପରିବର୍ତ୍ତନ ହୋଇଛି। ଆଉ ଏକ ଅଧ୍ୟୟନରେ ଏହା ମଧ୍ୟ ଦାବି କରାଯାଇଛି ଯେ କରୋନା ରୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଅଧିକ ଆଣ୍ଟିବଡି ଭବିଷ୍ୟତରେ ସହାୟକ ହେବାର କ୍ଷମତା ରଖିଛି। ଏହା ଅଧିକ ଆଣ୍ଟିବଡି ସେହି ଲୋକମାନଙ୍କଠାରେ ଦେଖିବାକୁ ମିଳେ ଯେଉଁମାନେ କରୋନା ସଂକ୍ରମଣରେ ପୀଡିତ ହୋଇଛନ୍ତି କିମ୍ବା ଦୀର୍ଘ ଦିନ ଧରି ଅସୁସ୍ଥ ରହିଛନ୍ତି। ଜର୍ଣ୍ଣାଲ ଅଫ୍ ଇନ୍ଫେକସନ ଡିଜିଜ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନରେ ଏହି ଦାବି କରାଯାଇଛି।
ଅନୁସନ୍ଧାନ ଅନୁଯାୟୀ, କରୋନା ସଂକ୍ରମଣରେ ପୀଡିତ ରୋଗୀମାନଙ୍କ ଠାରେ ସୃଷ୍ଟି ହୋଇଥିବା ଅଧିକ ଆଣ୍ଟିବଡି ଭବିଷ୍ୟତରେ ସେମାନଙ୍କୁ ପୁନର୍ବାର ସଂକ୍ରମଣରୁ ରକ୍ଷା କରିବ।