ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛାତ୍ର ଆନ୍ଦୋଳନ ଚାପରେ ଚେପା ସରକାର । NEET ପେପର ଲିକ୍ କୁ ମାସାଧିକ ସମୟ ବିତିଯାଇଥିବା ବେଳେ ସରକାର ଚୁପ ରହିଥିଲେ । ହେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ଆରମ୍ଭ ହେବାପରେ ଏବେ ସରକାର ଆକ୍ସନକୁ ଆସିଛନ୍ତି । ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ଫେରାଇବାକୁ କେନ୍ଦ୍ର ସରକାର କଠୋର ନିଷ୍ପତ୍ତି ଘୋଷଣା କରିଛନ୍ତି। “ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)”ର ୪୭ ଜଣ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି ସରକାର।
ମନ୍ତ୍ରାଳୟ କହିଛି, ଆଗାମୀ ଦିନରେ ପ୍ରଶ୍ନପତ୍ର ପ୍ରସ୍ତୁତି, ସଂରକ୍ଷଣ, ପରିବହନ ଏବଂ ପରୀକ୍ଷା କେନ୍ଦ୍ରରେ ବଣ୍ଟନ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଓ ପ୍ରଯୁକ୍ତିନିର୍ଭର କରାଯିବ। ଏଥିପାଇଁ ନୂଆ ସୁରକ୍ଷା ପ୍ରୋଟୋକଲ୍, ଡିଜିଟାଲ୍ ଟ୍ରାକିଂ ବ୍ୟବସ୍ଥା ଏବଂ ଜବାବଦେହିତା ବଢ଼ାଇବା ପାଇଁ ବିଶେଷ ନିୟମ ଲାଗୁ ହେବ।
ପେପର ଲିକ୍ ଘଟଣା ପରେ ଲକ୍ଷାଧିକ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଏହି ନିଷ୍ପତ୍ତି ମାଧ୍ୟମରେ ଭବିଷ୍ୟତରେ କୌଣସି ପ୍ରବେଶିକା ପରୀକ୍ଷାରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶିକ୍ଷା ମନ୍ତ୍ରାଳୟ ସ୍ପଷ୍ଟ ସନ୍ଦେଶ ଦେଇଛି। ହେଲେ ଆନ୍ଦୋଳନରତ CJP ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିଛି । ଧର୍ମେନ୍ଦ୍ର ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି CJP ସ୍ପଷ୍ଟ କରିଦେଇଛି ।
