ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜୋର ଧରିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ହଜେଇ ଦେଇଛି। ଗୋଟିଏ ପଟେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଜିଦ ଅଡ଼ି ବସିଥିବାବେଳେ ଅନ୍ୟ ବିରୋଧୀ ମୋଦିଙ୍କୁ ଘେରିଛନ୍ତି। ସଂସଦକୁ ଆସିବା ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ବରଖାସ୍ତ କରି ଆସିବେ ବୋଲି କଡ଼ା ଶବ୍ଦରେ ବିରୋଧୀ କହିଛନ୍ତି। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସରକାରଙ୍କ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍‌ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଏହା ସହିତ ସେ ଫାଷ୍ଟ ଟ୍ରାକ କୋର୍ଟ ଗଠନ ପାଇଁ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏସବୁ ବିଷୟକୁ ନେଇ ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଜାତୀୟ ଅଧ୍ୟକ୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ’ଯେତେବେଳେ ସଂସଦ ଚାଲୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ ବିବୃତ୍ତି ଦେବାକୁ ପଡ଼ିଥାଏ, ବିଳମ୍ବିତ ରାତିରେ ଏକ ଭିଡିଓ ପ୍ରସ୍ତୁତ କରି, ସଂସଦ ବାହାରେ ଏକପାଖିଆ ‘ମନ କି ବାତ୍‌’ କରିବା ଉଚିତ୍‌ ନୁହେଁ।’