୭ ଦିନିଆ ନର୍ଥ ବଙ୍ଗାଳ ଗସ୍ତରେ ରାଜ୍ୟପାଳ ଜଗଦୀପ ଧନକଡ , ଗସ୍ତକୁ ଟିଏମସିର ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ତିନି ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏବେ ପୁଣି ଥରେ ଆକ୍ସନ୍ ମୋଡ୍ ରେ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ସୋମବାର ଠାରୁ ନର୍ଥ ବଙ୍ଗଳା ଗସ୍ତରେ ଯିବେ। ଏ ସମ୍ପର୍କରେ ଟୁଇଟ୍ କରି ରାଜ୍ୟପାଳ ନିଜେ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କ ଗସ୍ତକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ରାଜ୍ୟପାଳଙ୍କ ଏହି ଗସ୍ତକୁ ନେଇ ଟିଏମସି ବିରୋଧ କରିଛନ୍ତି। ସେ ୨୧ ଜୁନ୍ ଅପରାହ୍ନରେ ବାଗଡୋଗ୍ରା ଏୟାରପୋର୍ଟରେ ପହଞ୍ଚିବା ପରେ ଦାର୍ଜିଲିଂ ଅଭିମୁଖେ ଗସ୍ତ କରିବେ । ରାଜ୍ୟପାଳ ଜଗଦୀପ ଧନଖଡ ମମତା ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲଗାତର ଟାର୍ଗେଟ କରି ଆସୁଛନ୍ତି। ଏପଟେ ଟିଏମସି ମଧ୍ୟ ରାଜ୍ୟପାଳଙ୍କ ଏହି ଆଭିମୁଖ୍ୟକୁ କଡା ବିରୋଧ କରିବା ସହ ତାଙ୍କୁ ବିଜେପିର ଏଜେଣ୍ଟ ବୋଲି କହିଛି। ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରବିବାର ଦିନ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଛନ୍ତି। ଅଧିକାରୀଙ୍କୁ ଭେଟିବା ପରେ ରାଜ୍ୟପାଳ ଟ୍ୱିଟ୍ କରି କହିଛନ୍ତି ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ ହସ୍ତକ୍ଷେପ କରିବାକୁ ଶୁଭେନ୍ଦୁ ଅଧିକାରୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କରିଛନ୍ତି। ସେ କହିଛନ୍ତି ଯେ ମମତା ସରକାରଙ୍କ ଅଧୀନରେ ମାନବାଧିକାରର ଉଲ୍ଲଂଘନ କରାଯାଉଛି ।

ରାଜ୍ୟରେ ସରକାରୀ କଳର ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଅପରାଧୀ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ୫୦ ବିଜେପି ବିଧାୟକ ରାଜ୍ୟପାଳଙ୍କୁ ଭେଟି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ରାଜ୍ୟପାଳଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ରାଜନୀତି ଜୋର ଧରିଛି। ଟିଏମସି ସାଂସଦ ମୋହୁଆ ମୋଇତ୍ରା ଗତ କିଛି ଦିନ ତଳେ ରାଜ୍ୟପାଳ ନିଜର ସମ୍ପର୍କିୟ ମାନଙ୍କୁ ରାଜଭବନରେ ନିଯୁକ୍ତି ଦେଇଥିବା ଅଭିଯୋଗ କରିଥିଲେ।

Related Posts