କ୍ୟାପଟେନଙ୍କୁ ସିଦ୍ଧୁଙ୍କ ନିଶାନ – ” ନିର୍ବାଚନରେ ​​ଜିତିବା ପାଇଁ ବ୍ୟବହାର କରିବାକୁ ମୁଁ କୌଣସି ଶୋ-ପିସ୍ ନୁହେଁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସରେ ସିଦ୍ଧୁ ବନାମ କ୍ୟାପଟେନ୍ ଝଗଡା ଜାରି ରହିଛି। ଦଳୀୟ କନ୍ଦଳ ସମାଧାନ ପାଇଁ ହାଇକମାଣ୍ଡ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି। ଏହା ମଧ୍ୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ସେ କଂଗ୍ରେସରେ କୌଣସି ପଦ ପାଇଁ ଆଶାୟୀ ନୁହନ୍ତି। କିନ୍ତୁ ନିର୍ବାଚନରେ ବିଜୟୀ ହେବା ପାଇଁ ତାଙ୍କୁ ବ୍ୟବହାର କରି ପରେ ଅଣଦେଖା କରାଯାଇଥିବାରୁ ସେ ଏହାକୁ ବରଦାସ୍ତ କରି ପାରିବେ ନାହିଁ। ନିକଟରେ ସେ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି ପଞ୍ଜାବର ବିକାଶ ପାଇଁ କାମ କରିବାକୁ କୁହାଯାଏ ତେବେ ସେ ଜିଲାପରିଷଦ ହୋଇ କାମ କରିବା ପାଇଁ ମଧ୍ୟ ରାଜି ଅଛନ୍ତି। ଯଦି ପ୍ରକୃତ ଏଜେଣ୍ଡା ପଞ୍ଜାବର ବିକାଶ ପାଇଁ ହୋଇଥାଏ ତେବେ ସେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଡେପୁଟି ସିଏମ୍ ହେଉ କିମ୍ବା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ବା ଜିଲାପରିଷଦ ହେବାକୁ କୁହାଯାଏ ତେବେ ସେ ସବୁ କଥାରେ ରାଜି ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଏକ ପ୍ରଦର୍ଶନୀ ନୁହେଁ ଯେ ତୁମେ ମୋତେ ପ୍ରଚାର ପାଇଁ ବ୍ୟବହାର କରିଦେବ ଆଉ ନିର୍ବାଚନରେ ​​ଜିତିବା ପରେ ମୋତେ ଆଲମିରାରେ ଆଣି ରଖିଦେବ ।” ସିଦ୍ଧୁ କହିଛନ୍ତି ଯେ ସେ ପ୍ରଥମ କ୍ୟାବିନେଟ ବୈଠକରୁ ରାଜ୍ୟରେ ଚାଲିଆସୁଥିବା ବ୍ୟବସ୍ଥା ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ବର୍ତ୍ତମାନ ରାଜ୍ୟର ଶାସନ ଭାର ଦୁଇଟି ଶକ୍ତିଶାଳୀ ପରିବାର ଦ୍ୱାରା ନିୟନ୍ତ୍ରିତ ହେଉଛି। ସେମାନେ ହିଁ ସମ୍ପୂର୍ଣ୍ଣ ସିଷ୍ଟମକୁ ନିୟନ୍ତ୍ରଣ କରନ୍ତି । ସେମାନେ ବିଧାନସଭାକୁ ଅସମ୍ମାନ କରିଛନ୍ତି। ବିଧାନସଭା ସର୍ବଦା ଲୋକଙ୍କ ନିକଟରେ ଉତ୍ତରଦାୟୀ ଅଟେ। ଲୋକମାନେ ମନ୍ତ୍ରୀ ଏବଂ ବିଧାୟକ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ସେମାନେ କୌଣସି ଅଧିକାରୀଙ୍କୁ ଭୋଟ ଦେଇ ନାହାନ୍ତି। ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ସେ ସିଷ୍ଟମ ବିରୋଧରେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି “ ମୋତେ ବହୁତ ଅଫର ଆସିଛି କିନ୍ତୁ ମୁଁ ସବୁ ଅଫରକୁ ପ୍ରତ୍ୟାଖ୍ୟାନ କରିଛି। କାରଣ ପଦ କିମ୍ବା ପାୱାର ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ଏକ ଏଜେଣ୍ଡା ବା ରୋଡ୍ ମ୍ୟାପ୍ ର ବିଷୟ। ଯାହା ଦ୍ବାରା ପଞ୍ଜାବର ବିକାଶ ହୋଇପାରିବ। ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚି ପାରିବ। ଯଦି ଏହି ଏଜେଣ୍ଡା ପୂରଣ ହୋଇଯାଏ, ତେବେ ସେ ତାଙ୍କ ପଛରେ ଛାଡ଼ି ହୋଇ କାମ କରିବା ପାଇଁ ପ୍ରସ୍ତୁତ ବୋଲି ସିଦ୍ଧୁ କହିଛନ୍ତି। କିନ୍ତୁ ଏହା ପୂରଣ ନହେଲେ ସେ ବିରୋଧ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯେ କୌଣସି ଷ୍ଟାଣ୍ଡ ନେବା ପୂର୍ବରୁ ସେ ୨୦୦ ଥର ଭାବିଥାନ୍ତି। ଏହିପରି ଭାବେ ବିଭିନ୍ନ ଦିଗକୁ ନେଇ ସେ କ୍ଯାପେଟନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

Related Posts