ପଞ୍ଜାବରେ ଅପରେସନ୍ ଲୋଟସକୁ ସଫଳ କରିବା ପାଇଁ ରାଜ୍ୟପାଳ ବିଜେପି ଇସାରାରେ କାମ କରୁଛନ୍ତି: ଆପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ପଞ୍ଜାବ ରାଜ୍ୟପାଳଙ୍କୁ ଜୋରଦାର ଟାର୍ଗେଟ କରାଯାଇଛି । ପଞ୍ଜାବରେ ଅପରେସନ୍ ଲୋଟସକୁ ସଫଳ କରିବାକୁ ରାଜ୍ୟପାଳ ବିଜେପିର ଇସାରାରେ କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ଆପ । ପଞ୍ଜାବର ଆପ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଅମନ ଅରୋଡା ପଞ୍ଜାବ ରାଜ୍ୟପାଳଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ, ଗତ ୭୫ ବର୍ଷ ଭିତରେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୌଣସି ସୂଚୀ ମାଗନ୍ତି ନାହିଁ ।ହେଲେ ପଞ୍ଜାବରେ ଏହା ପ୍ରଥମ କରି ହେଉଛି । ରାଜ୍ୟପାଳ, ବିଜେପି ଓ କଂଗ୍ରେସ ସହ ମିଶି ଏଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ବିଜେପି ଉପରେ ବର୍ଷିବା ସହିତ ଅରଡୋ କହିଛନ୍ତି, ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ, ସେଠାରେ ରାଜ୍ୟପାଳ ସରକାର ବିରୋଧୀ ଭାବେ କାମ କରୁଛନ୍ତି । ବିଜେପି ନିଜର ଶାସନକଳର ଦୂରୁପଯୋଗ କରୁଛି । ଏଥିପାଇଁ ରାଜ୍ୟପାଳ ଆପ ସରକାର ବିରୋଧରେ ବାରମ୍ବାର ନୋଟିସ୍ ପଠାଉଛନ୍ତି ବୋଲି ସେ କହିଛନ୍ତି ।

ଆପ୍ ନେତା ଅରୋଡାଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ବିଧାନସଭା କାର୍ଯ୍ୟ ପାଇଁ ରାଜ୍ୟପାଳ ବିବରଣୀ ମାଗିବା ଗଣତନ୍ତ୍ରର ହତ୍ୟା ସଦୃଶ ଅଟେ । ଏହା ପୂର୍ବରୁ ରାଜ୍ୟପାଳ ସେପ୍ଟେମ୍ବର ୨୨ ତାରିଖରେ ଆପ୍ ସରକାର ଡାକିଥିବା ବିଶେଷ ଅଧିବେଶନକୁ ମଧ୍ୟ ରଦ୍ଦ କରିଦେଇଥିଲେ । ତେଣୁ ଏହାକୁ ନେଇ ତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଆପ୍ ନେତା ଅମନ ଅରୋଡା ।

Related Posts