ଆଉ ଭଡ଼ାରେ ଲାଗି ପାରିବନି ଗର୍ଭ, ବ୍ୟବସାୟ ହୋଇପାରିବ ନାହିଁ ସରୋଗେସୀ

ଆଇନ ଭାଙ୍ଗିଲେ 5ରୁ10 ବର୍ଷର ଜେଲ୍‌, 5ରୁ10 ଲକ୍ଷ ଟଙ୍କା ଜରିମାନା

ସରୋଗେସୀ ମାଧ୍ୟମରେ ଟଙ୍କା ରୋଜଗାର କରିବାର କାରବାର ଏବେ ଆଉ ଚଳିବ ନାହିଁ । ଅର୍ଥାତ୍‌ ମହିଳା ଏବେ ଭଡ଼ାରେ ନିଜ ଗର୍ଭ ଦେଇପାରିବେ ନାହିଁ । ଏଥିସହ ନିଃସନ୍ତାନ ସମସ୍ୟା ସହ ଲଢୁଥିବା ଦମ୍ପତିଙ୍କୁ ଆବଶ୍ୟକତା ପଡ଼ିଲେ ହିଁ ସରୋଗେସୀ ପାଇଁ ଅନୁମତି ଦିଆଯାଇପାରିବ । ସରୋଗେସୀ ବିଧେୟକ 2016କୁ ଲୋକସଭା ଅନୁମୋଦନ କରିଛି ।

ସରୋଗେସୀ ବିଲ୍‌ ଅନୁସାରେ ଏବେ କୌଣସି ମହିଳା ନିଜ ଜୀବନରେ କେବଳ ଥରେ ହିଁ ସରୋଗେସୀ କରିପାରିବେ । ସରୋଗେସୀ କରୁଥିବା ମହିଳାଙ୍କ ବୟସ 25ରୁ30 ବର୍ଷ ଭିତରେ ହୋଇଥିବା ଆବଶ୍ୟକ ।

ଏଥିସହ ସରୋଗେସୀ କରୁଥିବା ଦମ୍ପତିଙ୍କର ସେ ନିକଟ ସମ୍ପର୍କୀୟ ହୋଇଥିବେ । ଆଉ ତାଙ୍କର ଅତି କମ୍‌ରେ ଗୋଟିଏ ପିଲା ଥିବା ଆବଶ୍ୟକ । ସରୋଗେସୀର ସାହାଯ୍ୟ ନେଉଥିବା ଦମ୍ପତି ମହିଳାଙ୍କୁ କେବଳ ମେଡିକାଲ୍‌ ଖର୍ଚ୍ଚ ଓ ବୀମା ବାବଦକୁ ହିଁ ଅର୍ଥ ଦେଇପାରିବେ ।

ଏବେ ଯେ କେହି ଚାହିଁଲେ ସରୋଗେସୀର ସାହାଯ୍ୟ ନେଇପାରିବ ନାହିଁ । ଏଥିପାଇଁ ଆଇନ କରାଯାଇଛି । ଆଇନ ଅନୁସାରେ
ଏମିତି କୌଣସି ଦମ୍ପତି ଯେଉଁମାନଙ୍କ ମଧ୍ୟରୁ ଜଣେ ବା ଉଭୟ ବାପା-ମା ହେବାରେ ସକ୍ଷମ ନ ଥିବେ ବା ଯେଉଁମାନଙ୍କର ପିଲା ମାନସିକ ଭାବେ ବା ଗୁରୁତର ରୋଗରେ ପୀଡ଼ିତ ଥିବେ ସେମାନେ ହିଁ କେବଳ ସରୋଗେସୀର ସାହାଯ୍ୟ ନେଇପାରିବେ ।

ଆଇନ୍‌ରେ ଏକୁଟିଆ ପୁରୁଷ ବା ମହିଳା, ଅବିବାହିତ ଯୋଡ଼ି ଓ ହୋମୋସେକ୍ସୁଆଲ୍‌ଙ୍କୁ ସରୋଗେସୀର ଅନୁମତି ଦିଆଯାଇନାହିଁ ।
ଏହି ନିୟମକୁ ଭାଙ୍ଗିଲେ 5ରୁ10 ବର୍ଷର ଜେଲ୍‌ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଏଥିସହ 5ରୁ10 ଲକ୍ଷ ଟଙ୍କା ଜରିମାନା ବି ଦେବାକୁ ହୋଇପାରେ ।

ସରୋଗେସୀ ବିଲ୍‌ ଅନୁମୋଦନ ହେବା ପରେ ଏହାର ପ୍ରଭାବ ଫିଲ୍ମ ଷ୍ଟାର୍‌ ମାନଙ୍କ ଉପରେ ବି ପଡ଼ିବ । କାରଣ ଗତ କିଛି ବର୍ଷ ଭିତରେ ଫିଲ୍ମ ଇଣ୍ଡଷ୍ଟ୍ରିଲେ ଚାଲି ଆସୁଛି ସରୋଗେସୀ ମାଧ୍ୟମରେ ବାପା ମା’ ହେବାର ପରମ୍ପରା । ଅମିର୍‌ ଖାନ୍‌, ଶାହରୁଖ କାନ୍‌, ତୁଷାର କାପୁର ଓ କରନ ଜୋହରଙ୍କର ସରୋଗେସୀ ମାଧ୍ୟମରେ ପିଲା ଜନ୍ମ ହୋଇଛି ।

Related Posts