2019 ପୂର୍ବରୁ ବଡ଼ ସମସ୍ୟାରେ ବିଜେପି, ବିହାରରେ RLSP ପରେ ଏଲ୍‌ଜେପି ମଧ୍ୟ ଛାଡ଼ିପାରେ ଏନ୍‌ଡିଏ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ନୋଟବନ୍ଦୀରୁ ଦେଶକୁ କଣ ଲାଭ ମିଳିଲା ସେ ସମ୍ପର୍କରେ ସୂଚନା ମାଗିଛନ୍ତି ବିହାରରେ ଏନ୍‌ଡିଏର ସହଯୋଗ ଏଲ୍‌ଜେପିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ୍‌ଙ୍କ ପୁଅ ଚିରାଗ ପାସୱାନ୍‌ । ଗୋଟିଏ ପଟେ ଏନ୍‌ଡିଏର ସହଯୋଗୀ ହୋଇ ବି ସରକାରଙ୍କୁ ଅଡୁଆରେ ପକାଇବା ଭଳି କାମ ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଲାଲୁ ଯାଦବଙ୍କୁ ପ୍ରଶଂସା ବି କରିଛନ୍ତି ଚିରାଗ ପାସୱାନ୍‌ ।

2019 ପୂର୍ବରୁ ଉତ୍ତରପ୍ରଦେଶ ଓ ବିହାରରେ ହେଉଥିବା ରାଜନୈତିକ ହଲଚଲ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପାଇଁ ସୃଷ୍ଟି କରିଛି ବଡ଼ ଅଡୁଆ ପରିସ୍ଥିତି । ପ୍ରଥମେ ତିନିଟି ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ହାତରୁ କ୍ଷମତା ଗଲା । ତା ପରେ ଦିନକ ତଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁ ଜନ ସମାଜବାଦୀ ପାର୍ଟି ମିଳିତ ଭାବେ 2019ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଆଉ ଏବେ ଆଉ ଏକ ବଡ଼ ରାଜ୍ୟ ବିହାରରେ ବି ଏନ୍‌ଡିଏ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି ।

ବିହାରର ଜିନତ ରାମ ମାନ୍‌ଝୀ ଓ ଉପେନ୍ଦ୍ର କୁଶୱାହାଙ୍କ ଦଳ ଏନ୍‌ଡିଏରୁ ବାହାରି ଯିବା ପରେ ଗୁରୁବାର ଦିଲ୍ଲୀରେ କଂଗ୍ରେସ ସହ ମହାଗଠବନ୍ଧନରେ ମିଶିଛନ୍ତି ରାଷ୍ଟ୍ରୀୟ ଲୋକସମତା ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା । କୁଶୱାହାଙ୍କ ପରେ ଏବେ ରାମବିଳାସ ପାଶୱାନ୍‌ଙ୍କ ଦଳ ଲୋକଜନଶକ୍ତି ପାର୍ଟି ମଧ୍ୟ ବିଜେପି ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ ।

ଏଲ୍‌ଜେପିର ଅଧ୍ୟକ୍ଷ ତଥା ରାମବିଳାସ ପାସୱାନ୍‌ଙ୍କ ପୁଅ ଚିରାଗ ପାସୱାନ୍‌ ଗତ ମଙ୍ଗଳବାର ଟ୍ବିଟ୍‌ କରି ବିହାରରେ ବିଜେପି ସହ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସ୍ପର୍ଶକାତର ସମୟ ଦେଇ ଗତି କରୁଛି ଏନ୍‌ଡିଏ ମେଣ୍ଟ । ତୁରନ୍ତ ଆସନ ଭାଗବଣ୍ଟା ଛିଡ଼ାଇବାକୁ କହିଥିଲେ । ଏହା ଏଲ୍‌ଜେପି ମଧ୍ୟ ଏନ୍‌ଡିଏ ସହ ମେଣ୍ଟ ଭାଙ୍ଗିବାର ଇସାରା ଦେଲା ।

ଦୁଇ ଦିନ ପରେ ଗୁରୁବାର ଆହୁରି ଆଗକୁ ଗଲେ ଚିରାଗ ପାସୱାନ୍‌ । ନୋଟବନ୍ଦୀର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୂତ୍ରରୁ ମିଳିଥିବା ଖବର ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖି ନୋଟବନ୍ଦୀରୁ ଦେଶକୁ କଣ ଲାଭ ମିଳିଲା ସେ ସମ୍ପର୍କରେ ସୂଚନା ମାଗିଛନ୍ତି ଚିରାଗ ପାସୱାନ୍‌ । ଗୋଟିଏ ପଟେ ଏନ୍‌ଡିଏର ସହଯୋଗୀ ହୋଇ ବି ସରକାରଙ୍କୁ ଅଡୁଆରେ ପକାଇବା ଭଳି କାମ ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଲାଲୁ ଯାଦବଙ୍କୁ ପ୍ରଶଂସା ବି କରିଛନ୍ତି ଚିରାଗ ପାସୱାନ୍‌ ।

ଏ ସବୁ ପରେ ଗୁରୁବାର ସଂଧ୍ୟାରେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଦିଲ୍ଲୀରେ ରାମବିଳାସ ପାସୱାନ୍‌ ଓ ତାଙ୍କ ପୁଅ ଚିରାଗଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ବୈଠକରେ ବିହାର ବିଜେପିର ଇନଚାର୍ଜ ଭୂପେନ୍ଦ୍ର ଯାଦବ ବି ଥିଲେ । ଏହି ବୈଠକରେ ଏଲ୍‌ଜେପି ସହ ବିହାରରେ ଆସନ ବୁଝାମଣା ନେଇ କଣ ଆଲୋଚନା ହୋଇଛି ତାହା ତ ଜଣାପଡ଼ିନାହିଁ । କିନ୍ତୁ ଏ ସବୁ କଥା ପ୍ରମାଣିତ କରୁଛି ଯେ ବିହାରରେ ଏବେ ଏନ୍‌ଡିଏ ଆଗରେ ଆସିଛି ବଡ଼ ସମସ୍ୟା ।

ଉତ୍ତର ପ୍ରଦେଶ ଓ ବିହାର, ଏ ଦୁଇଟି ବଡ଼ ରାଜ୍ୟରେ ବିପୁଳ ବିଜୟ ସହ ଦିଲ୍ଲୀରେ କ୍ଷମତାକୁ ଆସିଥିଲା ବିଜେପି । କିନ୍ତୁ ଦିନକ ତଳେ 2019ରେ ଉତ୍ତରପ୍ରଦେଶରେ ମାୟାବତୀ ଓ ଅଖିଳେଶ ଏକାଠି ହୋଇ ଲଢ଼ିବା କଥା କହିଥିଲେ । ମାୟା-ଅଖିଳେଶ ନିଜ ଶକ୍ତି ଉତ୍ତରପ୍ରଦେଶର କେରାନା, ଗୋରଖପୁର ଓ ଫୁଲପୁର ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଦେଖାଇ ସାରିଛନ୍ତି । ଏବେ ବିହାରରେ ଏନ୍‌ଡିଏର ପ୍ରମୁଖ ଅଂଶୀଦାର ଦଳ ଗୁଡ଼ିକର ବିଜେପି ପ୍ରତି ଅସନ୍ତୋଷ ବଡ଼ ସମସ୍ୟା ସୃଷ୍ଟି କରିବ ।

Related Posts