ବିଜୟ ମାଲ୍ୟା, ନିରବ ମୋଦି, ଲଳିତ ମୋଦି, ମେହୁଲ ଚୌକସୀଙ୍କ ଭଳି ଦେଶରୁ ହଜାର ହଜାର କୋଟି ଟଙ୍କାର ଘୋଟାଲା କରି ବିଦେଶକୁ ପଳାଇଯାଇଥିବା ଅପରାଧୀ ମାନଙ୍କୁ ଦେଶକୁ ପୁଣି ଫେରାଇ ଆଣିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ସରକାର ବିଜୟ ମାଲ୍ୟା ସମେତ 58 ଜଣ ପଳାତକଙ୍କୁ ଭାରତ ଆଣିବାକୁ ପଦକ୍ଷେପ ନେଇଛନ୍ତି ।
ଏହି ପଳାତକଙ୍କ ଉପରେ ଲୋକସଭାରେ ଉତ୍ତର ରଖି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏମାନଙ୍କୁ ଭାରତ ଆଣିବାକୁ ଉଦ୍ୟମ କରାଯାଉଛି । ଏମାନଙ୍କ ପାଇଁ ଲୁକ୍ଆଉଟ୍ ନୋଟିସ୍, ରେଡ୍ କର୍ଣ୍ଣର ନୋଟିସ୍ ଓ ପ୍ରତ୍ୟର୍ପଣ ପାଇଁ ଦାବି କରାଯାଇଛି । ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡକୁ କୁହାଯାଇଛି ।
ନିରବ ମୋଦିଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ବି ଜାରି କରାଯାଇ ସାରିଛି । ନିରବ ମୋଦିଙ୍କ ଭାଇ ନୀସଲଙ୍କ ପାଇଁ ବେଲଜିଅମ୍ ଓ ସୁଭାଷ ପରବଙ୍କ ପାଇଁ ଇଜିପ୍ଟକୁ ପ୍ରତ୍ୟର୍ପଣର ଦାବି କରାଯାଇଛି । ଆଣ୍ଟିଗୁଆକୁ ପଳାତକ ମେହୁଲ ଚୌକସୀଙ୍କର ପ୍ରତ୍ୟର୍ପଣ ପାଇଁ ଦାବି କରାଯାଇଛି ।
ସେପଟେ ଗୁଜୁରାଟୀ ବ୍ୟବସାୟୀ ଆଶିଷ ଜୋବନପୁତ୍ର ଓ ତାଙ୍କର ସ୍ତ୍ରୀ ପ୍ରୀତିଙ୍କ ପାଇଁ ଆିମେରିକାକୁ ପ୍ରତ୍ୟର୍ପଣ ଆବେଦନ କରାଯାଇଛି ।
ଆଇପିଏଲ୍ର ପୂର୍ବତନ କମିସନର ଲଳିତ ମୋଦିଙ୍କ ପାଇଁ ସିଙ୍ଗାପୁର, ହଂକଂ, ୟୁଏଇକୁ ପ୍ରତ୍ୟର୍ପଣ ଦାବି କରାଯାଇଛି । ପଳାତକ ଦୀପକ ତଲୱାର ଓ ସଞ୍ଜୟ ଭଣ୍ଡାରୀଙ୍କର ବି ସନ୍ଧାନ କରାଯାଉଛି ।
ଆଉ କେତେ ଜଣ ପଳାତକଙ୍କ ପାଇଁ ହଂକଂ, ୟୁଏଇ ଓ ମରିସସ୍କୁ ପ୍ରତ୍ୟର୍ପଣ ଆବେଦନ ପଠାଯାଇଛି । ଏହାଛଡ଼ା ଷ୍ଟର୍ଲିଂ ବାୟୋଟେକ୍ ମାଧ୍ୟମରେ 5 ହଜାର କୋଟିର ବ୍ୟାଙ୍କ ଘୋଟାଲା କରିଥିବା ସଂଦେସରା ଭାଇଙ୍କ ପାଇଁ ସରକାର ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛନ୍ତି…
ଏହି 58 ଜଣ ପଳାତକଙ୍କ ଛଡ଼ା ସିବିଆଇ, ଇଡି, ଡିଆର୍ଆଇ ଭଳି ତଦନ୍ତରୀ ସଂସ୍ଥା 16 ଟି ଅନ୍ୟ ପ୍ରତ୍ୟର୍ପଣ ପାଇଁ ୟୁଏଇ, ୟୁକେ, ବେଲଜିୟମ୍, ଇଜିପ୍ଟ, ଆମେରିକା, ଆଣ୍ଟିଗୁଆ ଭଳି ଦେଶକୁ ଦାବି କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।