କୋଭିଡ ଟୀକା ଉପରୁ ଜିଏସଟି ଛାଡ଼ କରାଯାଉ : ନଵୀନ

(ସତ୍ଯପାଠ ବ୍ୟୁରୋ)  ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଦେଶ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏଭଳି ସମୟରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସବୁ ପ୍ରକାର ସହାଯ୍ୟ  ଯୋଗାଇଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ରାଜ୍ୟ ସରକାର ଯେଉଁ କୋଭିଡ ଟିକା ନିଜ ରାଜସ୍ୱ ପାଣ୍ଠିରୁ  କିଣିବେ  ସେ ଟିକା ଉପରେ ଜିଏସଟି ଛାଡ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ସେସ୍ ଓ ସର୍ ଚାର୍ଜ ପାଣ୍ଠିରୁ  ଟିକାକରଣ ପାଇଁ ସହାୟତା ଯୋଗାଇ ଦେବା ପାଇଁ ନବୀନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ୧୮-୪୫ ବର୍ଷ ବୟଷ୍କ ଲୋକମାନଙ୍କ  ଟିକା କିଣିବା ଲାଗି କୁହାଯାଇଛି । ଏହି ସମୟରେ ଟିକା ଉପରେ ଜିଏସଟି ଲାଗିବା ଦ୍ୱାରା ରାଜ୍ୟଗୁଡିକ ପାଇଁ ଟିକାର  ମୂଲ୍ୟ ବଢିଯାଉଛି ।ତେଣୁ ଟିକା କ୍ରୟ ଉପରୁ ଜିଏସଟି  ସମ୍ପୂର୍ଣ ଛାଡ କରିବାର ଆବଶ୍ୟକ ରହିଛି । ଏହା ଦ୍ୱାରା ଟିକା କ୍ରୟର ମୂଲ୍ୟ ହ୍ରାସ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କେବଳ ଓଡିଶା ପାଇଁ ନହେଁ ବରଂ ମାଗଣା ଟିକା ଦେବାକୁ ନିଷ୍ପତି ନେଇଥିବା ସବୁ ରାଜ୍ୟ ଏହା ଦ୍ୱାରା ଲାଭାନ୍ୱିତ ହେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। 

Related Posts