ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଗୁଜୁରାଟ ଆପ ମୁଖ୍ୟ, ନୋଟିସ ଜାରି କଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ଗୁଜରାଟ ଆମ୍ ଆଦମୀ ପାର୍ଟିର (ଆପ୍) ମୁଖ୍ୟ। ଗୁଜରାଟର ଆପ ମୁଖ୍ୟ ଗୋପାଳ ଇଟାଲିଆଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଭାଇରାଲ ହେଉଥିବା ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୀଚ ଧରଣର ଲୋକ ଭାବରେ ବର୍ଣ୍ଣନା କରି ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ଦେଖାଯାଇଛି।ଏହି ଭିଡିଓ ଭାଇରାଲ ହେବା ପରେ ଭାରତୀୟ ଜନତା ପାର୍ଟି ତାଙ୍କୁ ଟାର୍ଗେଟ କରିବା ସହିତ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ବୋଲି କହିଛି।

ବିଜେପି ଟାର୍ଗେଟ କରିବା ପରେ ଏହାର ଜବାବ୍ ଦେଇଛନ୍ତି ଇଟାଲିଆ। ସୋମବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମୁଁ ଗାଁର ସାଧାରଣ ଯୁବକ ହୋଇଥିବାରୁ ମୋର ଭାଷା ଖରାପ ହୋଇପାରେ ଏବଂ ଏଥିପାଇଁ ମୋତେ ଗୁଳି ମାରିଦିଆଯାଉ ବା ଫାଶୀ ଦିଆଯାଉ।ଏଥିସହ ସେ କହିଛନ୍ତି ଯେ ‘ପଟେଲ ସମ୍ପ୍ରଦାୟ’ରୁ ହୋଇଥିବାରୁ ତାଙ୍କୁ ବିଜେପି ଟାର୍ଗେଟ କରୁଛି। ତାଙ୍କ କହିବା ମୁତାବକ, ଗୁଜରାଟରେ ଆପର ଲୋକପ୍ରିୟତା ଦେଖି ବିଜେପି ଏଭଳି ଆପକୁ ଟାର୍ଗେଟ କରୁଛି। ଏଥିପାଇଁ ସେ ଖୋଜି ଖୋଜି ପୁରୁଣା ଭିଡିଓ ଆଣୁଛି। ପୁୁରୁଣା ଭିଡିଓ ଆଣି ବିଜେପି ଜନସାଧାରଣଙ୍କୁ କହୁଛି ଯେ, ୪-୫ବର୍ଷ ପୂର୍ବେ କେହି ଜଣେ ପ୍ରଧାନମନ୍ତ୍ରୀଙ୍କୁ ନୀଚ କହିଥିଲେ, ତେଣୁ ୨୦୨୨ରେ ଆମକୁ ଭୋଟ୍ ଦିଅ। ଗୁଜରାଟରେ ଏହି ପ୍ରକାର ରାଜନୀତି ଭଲ ନୁହେଁ। ଗୁଜରାଟର ଲୋକମାନେ ୨୭ବର୍ଷର ହିସାବ ମାଗୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ଏହି ଭିଡ଼ିଓ ନେଇ ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଗୋପାଳଙ୍କୁ ନୋଟିସ ଜାରି କରିଛନ୍ତି। କମିଶନ ନୋଟିସରେ କହିଛନ୍ତି ଯେ, ଗୋପାଳ ଭିଡିଓରେ ବ୍ୟବହାର କରୁଥିବା ଶବ୍ଦ ମହିଳା ବିରୋଧୀ, ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁଃଖଦାୟକ।ତେଣୁ ନୋଟିସ ଜାରି କରି ଅକ୍ଟୋବର ୧୩ ତାରିଖରେ କମିଶନଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି।

Related Posts