ଗୁଜରାଟ: ଗୁଜରାଟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ଏହି ଉପହାର ଦେଇଛନ୍ତି । ରାଜ୍ୟ ସରକାର ସୋମବାର ୧୭ ଅକ୍ଟୋବରରେ ପିଏମ୍‌ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନଙ୍କୁ ଦୁଇ ସିଲିଣ୍ଡର ମାଗଣା ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାର ସିଏନ୍‌ଜି (CNG) ଗାଡ଼ି ମାଲିକଙ୍କୁ ମଧ୍ୟ ଖୁସି କରିଛନ୍ତି। ସରକାର CNG ଏବଂ ପିଏନ୍‌ଜି ଉପରେ ୧୦ ପ୍ରତିଶତ ଭାଟ୍‌ ହ୍ରାସ କରିଛନ୍ତି।

ଏବେ ସିଏନ୍‌ଜି ଉପରେ ଭାଟ୍‌ ହ୍ରାସ ଦ୍ୱାରା ଉପଭୋକ୍ତାମାନଙ୍କୁ ପ୍ରତି କିଲୋ ପିଛା ୬ରୁ ୭ ଟଙ୍କା ଫାଇଦା ମିଳିବ। ସେହିପରି ପିଏନ୍‌ଜିରେ ଉପଭୋକ୍ତାମାନଙ୍କୁ ପ୍ରତି କିଲୋ ପିଛା ୫ରୁ ୬ ଟଙ୍କା ଫାଇଦା ହେବ। ତେବେ ସିଏନ୍‌ଜି ଏବଂ ପିଏନ୍‌ଜିରେ ରିହାତି ଦେଇ ସରକାରଙ୍କ ଉପରେ ୩୦୦ କୋଟିର ବୋଝ ପଡ଼ିବ। ଏଥିସହ ଏଲ୍‌ପିଜିରେ ଛାଡ୍‌ ଦ୍ୱାରା ବି ମୋଟ ୧୬୫୦ କୋଟିର ବୋଝ ପଡ଼ିବ।

ସରକାରଙ୍କ ଏହି ଘୋଷଣାରୁ ୩୫ ଲକ୍ଷ ଏଲ୍‌ପିଜି ଗ୍ରାହକଙ୍କୁ ଫାଇଦା ମିଳି ପାରିବ। ଗୃହିଣୀ ଏବଂ ଗାଡ଼ି ଚାଳକମାନେ ସିଧାସଳଖ ଏହାର ଫାଇଦା ପାଇ ପାରିବେ। କହି ରଖୁଛୁ, ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରି ଦେଇଥିବା ବେଳେ କୌଣସି ବି ମୁହୂର୍ତ୍ତରେ ଗୁଜରାଟ ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।

ସେପଟେ ଦୀପାବଳି ପୂର୍ବରୁ ସାରା ଦେଶର ୧୧ କୋଟିରୁ ଅଧିକ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିସାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତି ପଇସା ଜାରି କରିଛନ୍ତି। ଏହି ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟରେ ଦ୍ୱାଦଶ କିସ୍ତିର ୨୦୦୦ ଟଙ୍କା ଜମା କରାଯାଇଛି। ଯଦି ଆପଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଜଣେ ଲାଭାର୍ଥୀ, ତା’ ହେଲେ ନିଜ ଆକାଉଣ୍ଟ ଚେକ୍‌ କରି ପାରିବେ। ଆପଣ ନିଜ ଆକାଉଣ୍ଟକୁ ଅନଲାଇନ୍ ଯାଞ୍ଚ କରି ପଇସା ଆସିଛି କି ନାହିଁ, ତାହା ଯାଞ୍ଚ କରି ପାରିବେ।