
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ହେଉଛି ନ୍ୟାସନାଲ ଡକ୍ଟର୍ସ ଡେ। ଏହି ଅବସରରେ ସାରା ଦେଶରେ ଡକ୍ଟର ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଚିକିତ୍ସା ଜଗତ ସହ ଜଡିତ ଲୋକମାନଙ୍କୁ ସମ୍ବୋଧିତ କରିଛନ୍ତି। ତେବେ ନ୍ୟାସନାଲ ଡକ୍ଟର୍ସ ଡେ ଅବସରରେ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ଗୁଜୁରାଟର ରାଜ୍ୟପାଳ ଆଚାର୍ଜ୍ୟ ଦେବବ୍ରତ । ରାଜ୍ୟପାଳ ଡାକ୍ତରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଡାକ୍ତରଙ୍କ ଉପରେ ଚୋରି ଅଭିଯୋଗ କରିଛନ୍ତି। ଏହା ସହିତ ସେ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କହିଛନ୍ତି ଯେ କରୋନା ସମୟରେ ନକଲି ଇଞ୍ଜେକ୍ସନ-ଔଷଧ ବିକ୍ରି ହୋଇଥିଲା, ଅମ୍ଳଜାନ ଚୋରି ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୁଜରାଟର ରାଜ୍ୟପାଳ କହିଛନ୍ତି, କରୋନା ମହାମାରୀ ସମୟରେ ନକଲି ଇଞ୍ଜେକ୍ସନ- ଔଷଧ ଏପରିକି ଅକ୍ସିଜେନ୍ ମଧ୍ୟ ଚୋରି ହୋଇଥିଲା। ଏହି ସବୁ କାମ କୌଣସି ଅଶିକ୍ଷିତ କୃଷକ କିମ୍ବା ଶ୍ରମିକଙ୍କ ଦ୍ୱାରା କରାଯାଇ ନାହିଁ, ବରଂ ଶିକ୍ଷିତ ଡାକ୍ତର-ଇଞ୍ଜିନିୟର୍ ଏବଂ ଡିଗ୍ରୀଧାରୀମାନେ କରିଛନ୍ତି । ପାପ, ଅସାଧୁ, ଦୁର୍ନୀତି କେବଳ ଶିକ୍ଷିତ ଲୋକମାନଙ୍କ ଦ୍ୱାରା କରାଯାଉଛି ତେବେ ଏହି ଡିଗ୍ରୀ ଏବଂ ଶିକ୍ଷାର ଅର୍ଥ କ’ଣ ? ସୂଚନାଯୋଗ୍ୟ ଯେ ୨୦୧୯ ରେ ଆଚାର୍ଯ୍ୟ ଦେବବ୍ରତ ଗୁଜୁରାଟର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ୪ ବର୍ଷ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ। ୧୯୯୧ ମସିହାରେ କେନ୍ଦ୍ର ସରକାର ଜାତୀୟ ଡାକ୍ତର ଦିବସ ପାଳନ କରିବା ଆରମ୍ଭ କରିଥିଲେ। ଦେଶର ମହାନ ଡାକ୍ତର ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନଚନ୍ଦ୍ର ରାୟଙ୍କୁ ସମ୍ମାନିତ କରିବା ପାଇଁ ଏହି ଦିନ ପାଳନ କରାଯାଏ। ତାଙ୍କର ଜନ୍ମଦିନ ଏବଂ ମୃତ୍ୟୁ ବାର୍ଷିକୀ ହେଉଛି ଜୁଲାଇ ୧ । ଏହି ଦିନ ଡାକ୍ତରଙ୍କ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଯାଏ ।