ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ବେଙ୍ଗଲର ଲକ୍ଷ୍ମଣଭୋଗ ଆମ୍ବ ପଠାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜନୀତି ହେଉଛି ଏକ ତିକ୍ତ-ମଧୁର ସମ୍ପର୍କ । ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ସମୟ ସମୟରେ ତିକ୍ତତା ଏବଂ ସୌଜନ୍ୟତା ଦେଖିବାକୁ ମିଳିଥାଏ। ପଶ୍ଚିମବଙ୍ଗ ରାଜନୀତି ବିଷୟରେ ଚର୍ଚ୍ଚା ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ରାଜନୈତିକ ବିବାଦ ଚରମ ସୀମାରେ। ଖାସ୍ କରି ବେଙ୍ଗଲ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଲକ୍ଷ୍ମଣ ଭୋଗ ଆମ୍ବ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେଵଳ ପିଏମ୍ ଓ ଗୃହମନ୍ତ୍ରୀଙ୍କୁ ନୁହେଁ ରାଷ୍ଟ୍ରପତି ଭବନକୁ ମଧ୍ୟ ମମତା ଆମ୍ବ ପଠାଇଛନ୍ତି । ଆମ୍ବର ବିଭିନ୍ନ କିସମ ହିମସଗର, ମାଲଦା ଏବଂ ଲକ୍ଷ୍ମଣଭୋଗ ଆମ୍ବ ପଠାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ଆମ୍ବ ପଠାଇଛନ୍ତି । ମମତା ବାନାର୍ଜୀ ୨୦୧୧ ରୁ ଆରମ୍ଭ କରିଥିବା ଏହି ପରମ୍ପରାକୁ ଜାରି ରଖିଛନ୍ତି । ଟିଏମସି ପକ୍ଷରୁ କୁହାଯାଇଛି ଯେ ଏହା ଏକ ସୌଜନ୍ୟମୂଳକ ଉପହାର । ସୂଚନାଯୋଗ୍ୟ ଯେ ନାରଦା ଲାଞ୍ଚ ମାମଲା, ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ପିଏମଙ୍କ ୟାସ୍ ସମୀକ୍ଷା ବୈଠକକୁ ମମତାଙ୍କ ବୟକଟ୍ ଏବଂ ପରେ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

Related Posts