ବିପର୍ଯ୍ୟୟ ହିଁ ସୁଯୋଗ ସୃଷ୍ଟି କରେ ସୌମ୍ୟ ବାବୁ ମଉକା ଛାଡ଼ନ୍ତୁ ନାହିଁ

(ସତ୍ୟପାଠ ବ୍ୟୁରୋ) : କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ ଯେ,  ସେମାନେ କୌଣସି ପ୍ରସଙ୍ଗକୁ ନେଇ ଯେତେବେଳେ ମନ୍ତବ୍ୟ ବା ବିବୃତ୍ତି ଦିଅନ୍ତି ସେତେବେଳେ , କିଏ ଏକଥା କହୁଛି ତାହା ଯେତେ ବିଚାର୍ଯ୍ୟର ବିଷୟ ହେବା କଥା ତା ନ ହୋଇ ସଂପୃକ୍ତ ବ୍ୟକ୍ତି କାହିଁକି ଏକଥା କହୁଛନ୍ତି ତାହା ଅଧିକ ଆଲୋଚିତ ହୋଇଥାଏ। ଏହି ଉଦାହରଣଟି ରାଜ୍ୟର ଏକ ନମ୍ବର ସମ୍ବାଦ ସଂସ୍ଥା ତଥା ବିଜେଡିର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ଲାଗେ। ସୌମ୍ୟ ବାବୁ ଯେତେବେଳେ ଯେଉଁ ବି ପ୍ରସଙ୍ଗରେ କୁହନ୍ତୁ ବା ଲେଖାନ୍ତୁ ନା କାହିଁକି, ଅଧିକାଂଶ ଲୋକେ ତାଙ୍କ କଥା ବା ଲେଖାର ଗୁରୁତ୍ଵ କୁ ନବିଚାରି , ଓଲଟା ସୌମ୍ୟ ବାବୁ କାହିଁକି ସେ କଥା କହିଲେ ତାହା ପଛରେ ଲୁଚିଥିବା ଉଦ୍ଦେଶ୍ୟଟି କଣ ସେଇଟା ଅଧିକ ଆଲୋଚିତ ହୋଇଥାଏ। ଏହାର ସଦ୍ୟତମ ଉଦାହରଣ ହେଉଛି, ଆଜି ତାଙ୍କ ଦ୍ଵାରା ସମ୍ପାଦିତ ଦୈନିକ ‘ ସମ୍ବାଦ ‘ ରେ ସେ ଲେଖିଥିବା ସଂପାଦକୀୟ ‘ ଆମ ଘରର ହାଲଚାଲ । ଗୁରୁବାର ପ୍ରକାଶିତ ଆମ ଘରର ହାଲଚାଲ ସମ୍ପାଦକୀୟ ସ୍ତମ୍ଭର ଶୀର୍ଷକଟି ହେଲା ” ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?” ଶ୍ରେଣୀରେ ପ୍ରଥମ ହେଲେ ମେଧାବୀ ଛାତ୍ରଟି ଉପରେ ଯେଉଁ ପ୍ରକାର ଚାପ ପଡ଼େ ନବୀନବାବୁଙ୍କ ଉପରେ ତାହା ପଡୁନାହିଁ ତ ? ଏଭଳି ପ୍ରଶ୍ନ କରି ସେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଛନ୍ତି। 

ସୌମ୍ୟ ବାବୁ ଏଥିରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ନିଶ୍ଚିତ ଭାବରେ ବହୁ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ। ରାଜ୍ୟର ସମସ୍ତ mainstream media ପାଟି ନ ଖୋଲି ଚୁପ ବସିଥିବା ବେଳେ ସୌମ୍ୟ ବାବୁ ଯେଉଁ ପ୍ରଶ୍ନ ଉଠାଇଛନ୍ତି ଓ ଯାହା କହିଛନ୍ତି ତାହା ନବୀନ ବାବୁଙ୍କ ନେତୃତ୍ୱ ଓ ରାଜ୍ୟ ପ୍ରଶାସନର ଧଜ୍ଜିଆ ଉଡେଇ ଦେଇଛି। ଜଣେ ସାମ୍ବାଦିକ ଭାବରେ ଏବଂ ବିଜୁ ଜନତା ଦଳର ବିଧାୟକ ଭାବରେ ସେ  ଯାହା କହିଛନ୍ତି, ଆଉ କିଏ ଯଦି ହେଇଥାନ୍ତା ତେବେ ଏତେବେଳକୁ ତାର ଶିର ଚ୍ଛେଦନ ହେଇସାରନ୍ତାଣି। ପୁରା ପ୍ରସଙ୍ଗର ବିଶ୍ଳେଷଣ ପୂର୍ବରୁ ଥରେ ନଜର ପକାନ୍ତୁ, କି ସୌମ୍ୟ ଆମଘରର ହାଲଚାଲ ରେ କଣ ସବୁ ଲେଖିଛନ୍ତି….

(କ) ନବୀନବାବୁଙ୍କ ସରକାର କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି। ଅର୍ଥାତ୍ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା ଏକ ଅପରାଧ।

(ଖ) ନବୀନ ବାବୁ ଜଣେ ଅହଙ୍କାରୀ ରାଜ ନେତା।

(ଗ) ନିଜକୁ ଶ୍ରେଷ୍ଠ ବା ଏକ ନମ୍ବର ଦେଖେଇବାକୁ ଯାଇ ନବୀନ ବାବୁ କିଛି ବି ବେଆଇନ କାମ କରିବାକୁ ପଛେଇବେ ନାହିଁ ଏପରିକି କୋଭିଡ ମୃତ୍ୟୁ ତଥ୍ୟ ଲୁଚାଇବା।

(ଘ) ନବୀନ ବାବୁଙ୍କୁ ଓଡ଼ିଶାବାସୀ ବାରମ୍ବାର ଜୟଯୁକ୍ତ କରି ଆସୁଛନ୍ତି ସତ ମାତ୍ର ସେ ଜନସାଧାରଣ ଓ ଦଳୀୟ ନେତାଙ୍କ ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ।

(ଙ) ନବୀନ ବାବୁଙ୍କ ପାଖରେ ନିର୍ଦ୍ଦିଷ୍ଟ ଆଦର୍ଶବୋଧ ବୋଲି କିଛି ନାହିଁ, ଆବଶ୍ୟକ ପଡିଲେ  ଶ୍ରେଣୀରେ ପ୍ରଥମ ହେବା ପାଇଁ ସେ କପି ମଧ୍ୟ କରିପାରିବେ।

(ଚ) ବାରମ୍ବାର ବିଜୟୀ ହେଉଥିବା ନବୀନଙ୍କ ପାଖରେ ବାସ୍ତବରେ ଅଦମନୀୟ ଏବଂ ଅପରାଜେୟ ରାଜନୈତିକ ନେତୃତ୍ବର ଦକ୍ଷତା ନାହିଁ। ବରଂ ତାଙ୍କ ସଫଳତା ପଛର କାରଣ ହେଉଛି ଅଦୃଶ୍ୟ ଅଲୌକିକ ଶକ୍ତି।

(ଚ) କୋଭିଡ ପରିଚାଳନାରେ ନିଜର ବିଫଳତା କୁ ଲୁଚାଇବାକୁ ଯାଇ ନବୀନ ବାବୁଙ୍କ ସରକାର କୋଭିଡଜନିତ ମୃତ୍ୟୁ ସଂଖ୍ୟା କୁ କୁଚାଉଛନ୍ତି।

ସୌମ୍ୟ ବାବୁ ଏ ଯେଉଁ ସବୁ କଠୋର ତଥ୍ୟ କୁ ଉପସ୍ଥାପନ କରିଛନ୍ତି ଏସବୁର ସତ୍ୟାସତ୍ୟ ଉପରେ ଖୋଲା ବିତର୍କ ନହେଲେ ବି ବିଧାନସଭା ଗୃହରେ ଅନ୍ତତଃ ଆଲୋଚନାର ସମ୍ଭାବନା ଜୋର ଧରିଲାଣି। କିନ୍ତୁ ବିଡମ୍ବନା ସୌମ୍ୟଙ୍କ ଲେଖାର objective ବା merit କୁ ନ ଯାଇ, ସୌମ୍ୟ କାହିଁକି ଏ କଥା ସବୁ ଏବେ ଉଠାଇଲେ, ଏହି ଆଲେଖ୍ୟ ପଛର କାରଣ କଣ ତାହା ଏବେ ଅଧିକ ଚର୍ଚ୍ଚିତ ପ୍ରସଙ୍ଗ। ଏଥିପାଇଁ ସୌମ୍ୟଙ୍କ ରାଜନୈତିକ ଏଵଂ ସାମ୍ବାଦିକ ଇତିହାସ ହିଁ ପ୍ରମୁଖ କାରଣ। ଆଜି ଆମ ଘରର ହାଲ ଚାଲ୍ ରେ ନବୀନଙ୍କ ବାବଦରେ ଓ ତାଙ୍କର ପ୍ରଶାସନିକ ଆଦବ କାଇଦା ବାବଦରେ ଯାହା ଲେଖିଛନ୍ତି ତାହା ତାଙ୍କ ପାଇଁ ନୂଆ ନୁହଁ। ପୂର୍ବରୁ ବିଜେଡି ମିଶିବା ପୂର୍ବରୁ ସେ ଏହାଠୁ ଆହୁରି କଦର୍ଯ୍ୟ ଏବଂ ଖୋଲାଖୋଲି ଭାବରେ ନବୀନଙ୍କ ବ୍ୟକ୍ତିତ୍ଵର ବ୍ୟବଚ୍ଛେଦ କରିଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପୁଣି ନବୀନଙ୍କ ସହ ବୁଝାମଣା କରିଛନ୍ତି। 

ସୌମ୍ୟ ଲେଖିଛନ୍ତି ଯେ, କୋଭିଡ୍ ପରିଚାଳନାକୁ ନେଇ ଜାତୀୟ ଏବଂ ବିଦେଶୀ ଗଣମାଧ୍ୟମ ନବୀନ ସରକାରଙ୍କୁ ପ୍ରଶଂସା କରୁଛନ୍ତି। ତେବେ ଏହି ପ୍ରଶଂସାରେ ବିଜେଡି ଉତଫୁଲିତ ହେଉଥିବା ବେଳେ ବାସ୍ତବତା କଣ ତାହା ଓଡିଶାବାସୀ ଜାଣନ୍ତି। ଏହା ଅର୍ଥ ରାଜ୍ୟବାସୀଙ୍କ ଆଗରେ ଏକ ମିଛ ପ୍ରଚାର କରାଯାଉଛି ଯାହାକୁ ସମସ୍ତେ ଜାଣନ୍ତି।ପୁଣି ଲେଖିଛନ୍ତି, ମହାମାରୀ ପରିଚାଳନାକୁ ନେଇ ବିରୋଧୀଙ୍କ ନୀରବତା ବିଜେଡି ସରକାରକୁ କୁଚିଆକୁ ଗୁଳି ପାଣି ସୁହାଇଲା ଭଳି । ସୌମ୍ୟ ଯେ ବିଜେଡି ସରକାର ର କଛା ଖୋଲି ଦେଇଛନ୍ତି ଏଥିରେ ସନ୍ଦେହ ନାହିଁ। 

ସୌମ୍ୟ ବିଜେଡିର ବିଧାୟକ ତଥା ଦଳର ବରିଷ୍ଠ ଉପ-ସଭାପତି ଏବଂ ନିକଟରେ ୭ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ। ଦଳ ମଧ୍ୟରେ ଥାଇ ଡକ୍ଟର ଦାମ ରାଉତଙ୍କ ଭଳି ନବୀନ ପଟ୍ଟନାୟକ ଓ ସରକାରର ଚରମ ଖିଲାପ ଉପରେ ଯେଉଁ ପ୍ରଶ୍ନ କରିଛନ୍ତି ତାହା ବାସ୍ତବରେ ସୌମ୍ୟଙ୍କ ମୂଲ୍ୟବୋଧ ମନ୍ଥନ ବା ବିବେକଦଳନ ର ପରିପ୍ରକାଶ ନା ଦଳରେ ପ୍ରଭାବ ଶୂନ୍ୟ ହେଇ କୋଣଠେଶା ହେବା ପରବର୍ତ୍ତୀ ପ୍ରତିକ୍ରିୟା ତାହା କୁ ନେଇ ମିଡିଆରେ ଏବେ ଚର୍ଚ୍ଚା ଅଧିକ। ଦୈନିକ “ସମ୍ବାଦ” ଖବରକାଗଜର ସମ୍ପାଦକୀୟରେ ସେ ନିଜର ମତ ରଖିଛନ୍ତି। ମେଧାବୀ ଛାତ୍ରଟିଏ ଥରୁଟିଏ ଶ୍ରଣୀରେ ପ୍ରଥମ ହେଲେ ସେ ବାରମ୍ବାର ପ୍ରଥମ ହେବାକୁ ଚାହେଁ ଏବଂ ସେହି ଚାପରେ ଯତପରୋନାସ୍ତି ଉଦ୍ୟମ କରେ ସେ ନିର୍ବାଚନରେ ଜିତିବାର କଥା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ହେଉ , ସବୁଥିରେ ପ୍ରଥମ ହେବାକୁ ଚାହେଁ । ନବୀନ ବାବୁ ଙ୍କୁ ଘାରିଛି ପ୍ରଥମ ହେବାର ନିଶା, ଏଥିପାଇଁ ତାଙ୍କ ପାଖରେ ଭୁଲ୍ ଠିକ୍ ଆଇନ ବେଆଇନ ର ବିଶେଷ କିଛି ଫରକ୍ ନାହିଁ ବୋଲି ଲେଖିଛନ୍ତି ସୌମ୍ୟରଞ୍ଜନ। ଯଦି ଏହା ସତ୍ୟ ହୋଇଥାଏ ତେବେ ତାହା ସାଙ୍ଘାତିକ।  ନବୀନଙ୍କ ଅହଙ୍କାର ରାଜ୍ୟର ବିଭିନ୍ନ ତ୍ରୁଟି ପାଇଁ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ଦଳୀୟ କର୍ମୀ , ନେତା ଓ ସାଧାରଣ ଲୋକଙ୍କଠୁ ଦୂରେଇ କିଛିଟା ହାତଗଣତି ନେତା ଓ ପ୍ରଶାସକଙ୍କ ଗହଣରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପ୍ରକୃତ ସତ୍ୟ ଓ ତଥ୍ୟ ପହଞ୍ଚି ପାରୁନଥିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠିଛି ତୃତୀୟ ନୟନ ର କଥା କହୁଥିବା ସୌମ୍ୟ ବାବୁ ଏବେ ଜାଣିଲେ ନବୀନଙ୍କ ଏହିସବୁ ଚରିତ୍ର ଓ ବ୍ୟକ୍ତିତ୍ଵ ବିଷୟରେ? ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ସମୟରେ ବିଜେଡି ରେ ମିଶିବା ଓ ସମାନ ଯୋଗଦାନ ଦିବସରେହିଁ ତାଙ୍କର ନାମକୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବରେ ଦଳ ଘୋଷଣା କରିବା, ଏ ସବୁ ବ୍ୟକ୍ତିଗତ ଉପଲବ୍ଧି ସମୟରେ ସୌମ୍ୟଙ୍କ ତୃତୀୟ ନୟନ ନବୀନଙ୍କ ବାବଦରେ ଏବଂ ବିଜେଡି ର ରାଜନୈତିକ ମୂଲ୍ୟବୋଧ ବିଷୟରେ କିଛି ସୁରାକ ପାଇଲା ନାହିଁ କିଭଳି?  ସେ କହିଛନ୍ତି, ” ମୃତ୍ୟୁ ହେଉଛି ଧ୍ରୁବ ସତ୍ୟ, ଯାହାକୁ କେହି କେବେ ଲୁଚାଇ ରଖିପାରିବ ନାହିଁ । ତେଣୁ ରାଜ୍ୟ ସରକାର ଏପରି କରି ଗୁରୁଚଣ୍ଡାଳ ଦୋଷ କରିଛନ୍ତି, ଯାହା ପ୍ରଶାସନର ମର୍ଯ୍ୟାଦାକୁ ନଷ୍ଟ କରିଛି ବୋଲି ।” କେବଳ ଏତିକି ନୁହେଁ, କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଏକ ଶ୍ୱେତପତ୍ର ମୁଖ୍ୟମନ୍ତ୍ରୀ ପ୍ରକାଶ କରି ନିଜର ସାହାସିକତାର ପରିଚୟ ଦିଅନ୍ତୁ ବୋଲି ନବୀନଙ୍କୁ ସୌମ୍ୟ ଆହ୍ୱାନ ଦେଇଛନ୍ତି। ଏହି ଆଳରେ ନବୀନ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ସୌମ୍ୟ କହିଛନ୍ତି ଯେ, ‘ପ୍ରଶାସନର ବାମହାତ କଣ କରୁଛି ଡାହାଣ ହାତ ଜାଣୁନାହିଁ ।  ହାତଗଣତି କେତେକ ରାଜନୈତିକ ଅନୁଗାମୀ ଏବଂ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରିବାକୁ ଅଧିକ ପସନ୍ଦ କରନ୍ତି । ସୌମ୍ୟ ଙ୍କ ଏ ସମସ୍ତ ଅଭିଯୋଗ କୁ ପ୍ରଥମ ଲହର ଆସିବା ଦିନଠୁ ବିରୋଧୀଦଳ ର ନେତା, ସମାଜସେବୀ  ଓ ଆକ୍ତିଭିଷ୍ଟ ମାନେ ଦିନରାତି କହିବୁଲୁଛନ୍ତି । ମାଷ୍କ୍, ପି ପି ଇ କିଟ ଆଦି ସାମଗ୍ରୀ କିଣା ଦୁର୍ନୀତି ରେ ଯେତେବେଳେ ପୁରା ରାଜ୍ୟ କମ୍ପୁଥିଲା ସେତେବେଳେ ରାଜ୍ୟର ପ୍ରାୟ ସମସ୍ତ ( କାଁ ଭାଁ କେତୋଟି ଛାଡ଼ିଦେଲେ) ମୁଖ୍ୟ ମିଡିଆ ପାଟି ଖୋଲିଲେ ନାହିଁ ବା ଯଦି ଖୋଲିଲେ ଧର୍ମକୁ ଆଖିଠାର ଭଳି, ସେତେବେଳେ କିନ୍ତୁ ସୌମ୍ୟ ନୀରବ ଥିଲେ।  

ଅସଲ କଥା ହେଲା, ସୌମ୍ୟ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେଗୁଡିକ ଅତି ଗୁରୁତ୍ବପୂର୍ଣ୍ଣ। ଅନେକ ଦିନ ହେଲା ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଗଣମାଧ୍ୟମ ର ତୃତୀୟ ନୟନ ର ଆହ୍ଵାନ ଦେଉଛନ୍ତି ସୌମ୍ୟ, ହେଲେ ଅନ୍ୟପଟେ ତୃତୀୟ ନୟନ କଥା ଛାଡ,  mainstream ଗଣମାଧ୍ୟମ ସମ୍ପୂର୍ଣ ଦୃଷ୍ଟିହୀନ ହେବା ପଛରେ ଯେ ପ୍ରଚୁର ସରକାରୀ ବିଜ୍ଞାପନ ଏକଥା ସମସ୍ତଙ୍କୁ ଜଣା। ସୌମ୍ୟ ଙ୍କ ସମ୍ପାଦିତ ସଂସ୍ଥା ସରକାରୀ ବିଜ୍ଞାପନର ଏକ ପ୍ରମୁଖ ହିତାଧିକାରୀ। ଅନେକ ଏହାକୁ ନେଇ ପ୍ରଶ୍ନ ଉଠାଇ ପାରନ୍ତି ଯେ ସରକାରୀ ସ୍ଵୀକୃତିପ୍ରାପ୍ତ ଗଣମାଧ୍ୟମ ସଂସ୍ଥା ଭାବରେ ସରକାରୀ ବିଜ୍ଞାପନ ପାଇବା ତାଙ୍କର ହକ୍। ଏଥିରେ ସରକାର ଦୟା କରୁନାହାନ୍ତି। ବା ବିଜ୍ଞାପନ ନେବା ଅର୍ଥ ନୁହଁ ସଂସ୍ଥାକୁ ସରକାରଙ୍କ ପାଖରେ ବନ୍ଧା ପକାଇଦେବା। ଏସବୁ ଯୁକ୍ତି ତ ଠିକ୍। ହେଲେ ଆଚରଣରେ କଣ ହେଉଛି ତାହା ସର୍ବବିଦିତ। ଯେଉଁଦିନ କୋଭିଡକୁ ନେଇ କିଛି ଗୁରୁତର ଅଭିଯୋଗ ଆସିବ ସେହିଦିନ ସରକାରଙ୍କ ପକ୍ଷରୁ ଫୁଲ୍ ପେଜ ରଙ୍ଗୀନ ବିଜ୍ଞାପନ ରିଲିଜ୍ ହେବ ଏବଂ ରହସ୍ୟଜନକ ଭାବେ ସେହି ଖବର ଟି ହୁଏତ ନ ଥିବ ବା ମୋଡା ମକଚା ହେଇ କୁ କୋଣ ରେ ପ୍ରକାଶ ପାଇଥିବ। କଥା ହେଉଛି ଛୋଟ ମୋଟ ସଂସ୍ଥା ବିଜ୍ଞାପନରେ  ଚୁପ୍ ରହିପାରନ୍ତି ମାତ୍ର ସୌମ୍ୟ ଙ୍କ ସଂସ୍ଥା ଭଳି କ୍ୟାସ୍ ରିଚ୍ କଂପାନୀ ଏ ବାବଦରେ ମୁଁହ ଖୋଲିବା କଥା। ଖାଲି ସେତିକିନୁହଁ, ଶହ ଶହ କୋଟି ଟଙ୍କାର ସରକାରୀ ବିଜ୍ଞାପନର ଏକ ଏସଓପି ବା standard operating procedure ବାବଦରେ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବା କଥା। ମାତ୍ର ବିଡମ୍ବନା, ତୃତୀୟ ନୟନ କେବଳ ପରାମର୍ଶଧର୍ମି ହେଇଯାଇଛି।  ଶେଷରେ, ଯେଉଁମାନେ କହୁଛନ୍ତି ଯେ ସୌମ୍ୟ ନିଜର ସ୍ବାର୍ଥ ପାଇଁ ବହୁବାର ଦଳ ବଦଳ କରି ନେତୃତ୍ୱର ବିଶ୍ୱସନୀୟତା ହରେଇଛନ୍ତି।  କେବଳ ନିଜର ରାଜନୈତିକ ଉଚ୍ଚକାଂକ୍ଷା ସିଦ୍ଧି ପାଇଁ ଏସବୁ ଲେଖିଛନ୍ତି। ସେମାନଙ୍କୁ ଭୁଲ୍ ପ୍ରମାଣିତ କରିବାପାଇଁ ଏହା ଏକ ପ୍ରକୃଷ୍ଟ ମଉକା। ଏହାହିଁ ଉଚିତ ସମୟ, Soumya must walk the talk .

Related Posts