ନୟାଗଡ଼ରେ ଠାବ ହେଲା ବନ୍ଧୁକ କାରଖାନା, ପୋଲିସ୍‌ ଚଢ଼ାଉରେ ଧରା ପଡ଼ିଲା ମାଲିକ

ନୟାଗଡ଼ ଗୋପୀନାଥପୁର ଗାଁରେ ବନ୍ଧୁକ କାରଖାନା ଠାବ ହୋଇଛି । ସେଠାରୁ ୫ଟି ଦେଶୀ ବନ୍ଧୁକ, ବିପୁଳ ବିସ୍ଫୋରକ ସାମଗ୍ରୀ ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏସ୍‌ପି କହିଛନ୍ତି, ବନ୍ଧୁକ କେଉଁ ଜାଗାକୁ ଚାଲାଣ ହେଉଥିଲା, ଏବଂ କିଏ କିଣୁଥିଲା, ତାର ଛାନଭିନ୍ କରାଯାଉଛି ।

ବନ୍ଧୁକ ତିଆରି କାରଖାନାର କାର୍ପଟଦାର ହେଉଛି ସେହି ଗୋପୀନାଥପୁର ଗାଁର ସୁଧୀର ବେହେରା । ସେ ବିସ୍ଫୋରକ, ଗନ୍ ପାଉଡର ଆଣି ତିଆରି କରୁଥିଲା ଦେଶୀ ବନ୍ଧୁକ । ଖବର ପୋଲିସ୍‌ ସେଠାରେ ଚଢ଼ାଉ କରିଥିଲା । ବନ୍ଧୁକ ତିଆରି କରୁଥିବା ବେଳେ ଧରାପଡ଼ିଲା ସୁଧୀର । ତା’ ପରେ ସେ ନିଜର କାରନାମା ବାବଦରେ ପୋଲିସ୍‌ ଆଗରେ ସବୁ ସତ ମାନିଗଲା ।

ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ କହିଛନ୍ତି, ନିଜ ଘରେ ବର୍ଷେ ହେଲା ଏହି ବନ୍ଧୁକ କାରଖାନା ଚଳାଇଥିଲା ସୁଧୀର । ନିଜ ଅଜାଙ୍କଠାରୁ ବନ୍ଧୁକ ତିଆରି ଶିଖିଥିଲା ସୁଧୀର । ତେବେ କେତେ ବନ୍ଧୁକ ତିଆରି କରିଥିଲା ସୁଧୀର ଓ କେଉଁଠାରେ ବିକ୍ରି କରିଛି, ତାର ଛାନଭିନ୍ କରାଯାଉଛି । କେବଳ ସୁଧୀର ନା ବନ୍ଧୁକ କାରଖାନା ପଛରେ ଆଉ କାହାର ଲିଙ୍କ୍ ଅଛି, ସେ ନେଇ ବି ତଦନ୍ତ ଚାଲିଛି ।

୨୦୧୭ ମାର୍ଚ୍ଚ ୨୮ରେ କନ୍ଧମାଳରୁ ଠାବ ହୋଇଥିଲା ଏଭଳି ଏକ ଦେଶୀ ବନ୍ଧୁକ କାରଖାନା । ତାର କିଛି ବର୍ଷ ତଳେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ମଧ୍ୟ ଦୁଇଟି ବନ୍ଧୁକ ତିଆରି କାରଖାନାର ସନ୍ଧାନ ପାଇଥିଲା ପୋଲିସ ।

Related Posts