ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବ ରକ୍ତ

ଏବେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ମିଳିବ ରକ୍ତ । ଏଥିପାଇଁ ରୋଗୀଙ୍କୁ ରକ୍ତ ଭଣ୍ଡାରରେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯାହାକୁ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ସ୍ବାଗତ ଯୋଗ୍ୟ ପଦକ୍ଷେପ କହିଥିଲେ ବି ନୂଆ ନିୟମରେ କେତେକ ବ୍ୟତିକ୍ରମ ଥିବା ଅଭିଯୋଗ କରିଛି ରକ୍ତଭଣ୍ଡାର କର୍ମଚାରୀ ସଂଘ ।

ସରକାରୀ ଡାକ୍ତରଖାନାରେ ପୂର୍ବରୁ ସମସ୍ତ ଚିକିତ୍ସା ଏବଂ ଔଷଧ ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ, ନିଦାନ ଯୋଜନାରୁ ବାଦ୍‌ ପଡିଥିଲା ରକ୍ତଭଣ୍ଡାର । ଫଳରେ ରୋଗୀଙ୍କୁ ରକ୍ତ ପାଇଁ ରକ୍ତ ଭଣ୍ଡାରରେ ପ୍ରାୟ ୪ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡୁଥିଲା । ଏବେ ଏହାକୁ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ରାଜ୍ୟ ସରକାରଙ୍କ ଏଭଳି ଘୋଷଣାକୁ ସ୍ବାଗତଯୋଗ୍ୟ କହିଥିଲେ ବି ଏଥିରେ କିତେକ ସମସ୍ୟା ଥିବା କହିଛନ୍ତି ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ଉପ ସଭାପତି ବସନ୍ତ କୁମାର ବେହେରା । ମାଗଣାରେ ରକ୍ତ ଦିଆଯିବା ଦ୍ବାରା ରକ୍ତର ଅଭାବ ଦେଖାଯାଇପାରେ । ଏଣୁ ରକ୍ତ ଦାନ ଶିବିରର ବ୍ୟବସ୍ଥା ଉପରେ ଜୋର ଦିଆଯିବ ଦରକାର ।

ଖାସକରି ରକ୍ତ ଭଣ୍ଡାରରୁ ସଂଗୃହୀତ ଅର୍ଥରୁ କର୍ମଚାରୀଙ୍କୁ ଦରମା ଦିଆଯାଉଥିଲା । କିନ୍ତୁ ଏହି ଦେୟ ଛାଡ ହେବା ପରେ କର୍ମଚାରୀଙ୍କ ଦରମା ଓ ରକ୍ତ ଦାନ ଶିବିର ବାବଦ ଅର୍ଥ କେଉଁଠାରୁ ଆସିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ରକ୍ତଭଣ୍ଡାର କର୍ମଚାରୀ ସଂଘର ଉପ ସଭାପତି ।

Related Posts