ପୋଲିସ୍‌କୁ ତାରାଙ୍କ ନାଲି ଆଖି, ଥାନାରେ ସମର୍ଥକଙ୍କ ସହ ପଶି ହଙ୍ଗାମା କଲେ କଂଗ୍ରେସ ବିଧାୟକ

ପୋଲିସକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଲିଆଖି । ସମର୍ଥକଙ୍କ ସହ ଜୟପୁର ସଦର ଥାନାରେ ପହଞ୍ଚି ପଶି ଗର୍ଜନ କରିଛନ୍ତି ତାରା । ଓଆଇସିଙ୍କୁ ଖୋଜିବା ସହ ଥାନା ଭାଙ୍ଗିଦେବାକୁ ଧମକ ଦେଇଛନ୍ତି । ଯେତେ ଯିଏ ବୁଝାଇଲେ ବି ଶାନ୍ତ ପଡ଼ି ନ ଥିଲେ ତାରା ବାହିନୀପତି ।

ବରଂ କହିଥିଲେ, ଏସ୍‌ପି, ଡିଆଇଜିଙ୍କୁ ଡାକି ପୋଲିସ ବାବୁଙ୍କର ଫଇସଲା କରିବେ । କଥା ହେଲା 4 ଦିନ ପୂର୍ବରୁ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ନୀଳଗୁଡ଼ା ଓ କୁନ୍ତୁରୁଖାଲ ଗାଁ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ନୀଳାଗୁଡ଼ାର ତୁରୁକ ହରିଜନ ଓ ତାଙ୍କର କିଛି ସମର୍ଥକ କୁନ୍ତୁରଖାଲ ଗାଁରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ ।

ସ୍ଥାନୀୟ ଲୋକେ ତୁରୁକକୁ କାବୁ କରି ପୋଲିସ ଜିମା ଦେଇଥିଲେ । କିନ୍ତୁ ଅଭିଯୋଗ ହୋଇଛି, ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତୁରୁକକୁ ଛାଡ଼ି ଦେଇଛି । ଏହାର ପ୍ରତିବାଦରେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସମର୍ଥକମାନେ ଆଜି ଥାନା ଘେରାଉ କରିଥିଲେ । ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ତାରା । କହିଛନ୍ତି ଆଇଆଇସି ଜଣେ ରାଜନୈତିକ କର୍ମୀ । ଗ୍ରାମବାସୀଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହୋଇଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି ।

Related Posts