
ନୂଆଦିଲ୍ଲୀ: ଶେଷ ହେଲା ବାରଣାସୀ ଜ୍ଞାନବାପି ମସଜିଦର ସର୍ଭେ | ତେବେ ସର୍ଭେ ଶେଷ ହୋଇଥିବା ବେଳେ, ଏଠାରେ ଶିବଲିଙ୍ଗ ମିଳିଥିବା ନେଇ ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ କୁହାଯାଇଥିଲା । ଆଉ ଏହାପରେ ଏହି ସ୍ଥାନକୁ ସିଲ୍ କରିବାକୁ ଏବେ ନିର୍ଦ୍ଦେଶ ଦେଇଛନ୍ତି ବାରଣାସୀ କୋର୍ଟ ।
ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, ସେହି ସ୍ଥାନକୁ ତୁରନ୍ତ ସିଲ କରାଯାଉ ଏବଂ କୌଣସି ବ୍ୟକ୍ତିଙ୍କୁ ଏହା ଭିତରକୁ ପ୍ରବେଶ ନିଷେଧ କରାଯାଉ । ଆଉ ଏହାର ପୂରା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଓ ସିଆରପିଏଫ ଉପରେ ଦେଇଛନ୍ତି କୋର୍ଟ ।
ବାରଣାସୀ କୋର୍ଟ ନିର୍ଦ୍ଦେଶ ଜାରି କରିବା ସହ କହିଛନ୍ତି, ଜିଲ୍ଲା ଅଧିକାରୀ, ପୋଲିସ କମିଶନର ଓ ସିଆରପିଏଫ କମାଣ୍ଡାଣ୍ଟ ଏହାକୁ ତୁରନ୍ତ ସିଲ କରନ୍ତୁ । ଏହାକୁ ସଂରକ୍ଷିତ ସହ ସୁରକ୍ଷିତ ରଖିବା ଏବେ ଉପରୋକ୍ତ ଅଧିକାରୀଙ୍କର ବ୍ୟକ୍ତିଗତ ଦାୟିତ୍ୱ । ଯେଉଁଥିପାଇଁ ଏବେ ଜ୍ଞାନବାପି ମସଜିଦ ଭିତରେ ପ୍ରବେଶ କଟକଣା ଲଗାଯାଇଛି ।
ଆଜି ଜ୍ଞାନବାପି ମସଜିଦର ସର୍ଭେ ଶେଷ ହୋଇଛି । ଆଉ ସର୍ଭେ ଶେଷ ହେବା ପରେ ହିନ୍ଦୁ ସପକ୍ଷବାଦୀ ମାନେ ଏଠାରେ ଶିବଲିଙ୍ଗ ମିଳିଥିବା ନେଇ ଦାବି କରିଛନ୍ତି । ପାଣି ନିଷ୍କାସନ ପରେ ଏଠାରେ ଏକ ଶିବଲିଙ୍ଗ ଥିବା ଦେଖିବାକୁ ମିଳିଛି । ଆଉ ଶିବଲିଙ୍ଗ ପ୍ରକଟ ହେବା ପରେ ହର ହର ମହାଦେବ ନାରାରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ । ଅନ୍ୟପଟେ ମୁସଲିମ ପକ୍ଷରୁ କୁହାଯାଇଛି ଯେ, ମସଜିଦ ମଧ୍ୟରୁ ସେମିତି କିଛି ମଧ୍ୟ ମିଳିନାହିଁ ଯାହାର ଦାବି ହିନ୍ଦୁ ପକ୍ଷ କରୁଛନ୍ତି ।
ତେବେ ଆସନ୍ତାକାଲି କୋର୍ଟରେ ଏନେଇ ରିପୋର୍ଟ ଦାଖଲ କରାଯିବ । ଏହାପରେ କୋର୍ଟ ହିଁ ଜ୍ଞାନବାପିର ସତ ଉପରୁ ପରଦା ହଟାଇବେ । ଏଠାରେ ଶିବଲିଙ୍ଗ ମିଳିଛି କି ନାହିଁ? କୂଅରୁ କଣ ପ୍ରମାଣ ମିଳିଛି. ଭିଡ଼ିଓଗ୍ରାଫି ଜରିଆରେ କଣ ପ୍ରମାଣ ମିଳିଛି ତାହାର ସତ୍ୟତା ପଦାକୁ ଆସିବ ।
ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗି ଥିବା ଜ୍ଞାନବାପି ମସ୍ଜିଦ୍ ସମ୍ପ୍ରତି ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଛି। ଜ୍ଞାନବାପି ମସ୍ଜିଦ୍ର ଢାଞ୍ଚା ବିଷୟରେ ତଦନ୍ତ କରିବା ଲାଗି ବାରାଣସୀର ଏକ ଅଦାଲତ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ’କୁ ନିର୍ଦେଶ ଦେଇଛନ୍ତି।