ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ସିଂ ରାୱତ ପରାଜିତ ହୋଇଛନ୍ତି ।୨୦୧୭ ପରେ ୨୦୨୨ରେ ମଧ୍ୟ ତାଙ୍କୁ ପରାଜୟର ସ୍ଵାଦ ଚାଖିବାକୁ ପଡ଼ିଛି । ଲାଲଙ୍କୁଆ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । କଂଗ୍ରେସ ହରିଶ ରାୱତଙ୍କୁ ରାମନଗର ଆସନ ପରିବର୍ତ୍ତେ ଲାଲଙ୍କୁଆ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ହରିଶ ରାୱତ ୨୦୧୭ ବିଧାନସଭା ନିର୍ବାଚନରେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ପରାଜିତ ହୋଇଥିଲେ। ପରାଜୟ ପରେ ହରିଶ ରାୱତ ପ୍ରତିକ୍ରିୟା ରଖି କହିଛନ୍ତି, ନିର୍ବାଚନ ପରିଣାମରେ ମୁଁ ଆଶ୍ଚର୍ଯ୍ୟ। ଏତେ ଦରବୃଦ୍ଧି ସତ୍ତ୍ୱେ, ଯଦି ଏହା ଜନତାଙ୍କ ଜନାଦେଶ ହୁଏ, ତେବେ ଲୋକ କଲ୍ୟାଣ ଏବଂ ସାମାଜିକ ନ୍ୟାୟର ପରିଭାଷା କଣ ହେବ ? ଏହାପରେ ବି ବିଜେପି ଜିନ୍ଦାବାଦ କହୁଥିବା ଲୋକେ ମୋ ବୁଝିବା ବାହାରେ।

ଏହାସହ ସେ କହିଛନ୍ତି, ଉତ୍ତରାଖଣ୍ଡବାସୀଙ୍କ ହୃଦୟ ଜିତିବାରେ ଆମ ପ୍ରୟାସ ବିଫଳ ହୋଇଛି। ମୁଁ ମୋ ପରାଜୟ କୁ ସ୍ୱୀକାର କରିବା ସହ ସମସ୍ତ ବିଜୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି ।