ଦେଶରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି କି ? ୧୩ ଟି ରାଜ୍ୟ ମଧ୍ୟରୁ ଓଡିଶା ସମେତ ୧୨ ଟି ରାଜ୍ୟ କହିଲେ ‘ନା’

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହର ସମୟରେ କୌଣସି ବି ଅକ୍ସିଜେନ୍‌ ଅଭାବ ଜନିତ ମୃତ୍ୟୁ ଘଟିନଥିବା ବୟାନକୁ ନେଇ ଗତ କିଛିଦିନ ତଳେ ବହୁ ବିବାଦ ଦେଖାଦେଇଥିଲା। ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ସରକାର କହିଥିଲେ ଯେ ରାଜ୍ୟ ସରକାର ମାନେ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରି ନାହାନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଜବାବ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।

ଚାରିଆଡୁ ସମାଲୋଚନାର ଶିକାର ହେବା ପରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଚିଠି ଲେଖି ୧୩ ଅଗଷ୍ଟ ପୂର୍ବରୁ ତଥ୍ୟ ପ୍ରଦାନ କରିବାକୁ କହିଥିଲେ। ବର୍ତ୍ତମାନ ସୁଦ୍ଧା ୧୩ ଟି ରାଜ୍ୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ତଥ୍ୟ ପଠାଯାଇଛି। ଏହି ୧୩ ରାଜ୍ୟ ମଧ୍ୟରୁ ୧୨ ଟି ରାଜ୍ୟ ଅମ୍ଳଜାନ ଅଭାବ ହେତୁ ଗୋଟିଏ ବି ମୃତ୍ୟୁ ହୋଇନଥିବା କହିଛନ୍ତି। ପଞ୍ଜାବ ସରକାର ଚାରିଟି ମୃତ୍ୟୁକୁ ସନ୍ଦେହଜନକ ମୃତ୍ୟୁ ବୋଲି କହିଛନ୍ତି। ଅବଶିଷ୍ଟ ୧୨ ଟି ରାଜ୍ୟ ସରକାର ଅମ୍ଳଜାନ ଅଭାବରୁ କେହି ମୃତ୍ୟୁବରଣ କରି ନାହାଁନ୍ତି ବୋଲି କହିଛନ୍ତି ।

ଏହି ରାଜ୍ୟଗୁଡ଼ିକ ହେଉଛନ୍ତି – ଓଡିଶା, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ନାଗାଲାଣ୍ଡ, ଆସାମ, ଲଦାଖ, ଜାମ୍ମୁ କାଶ୍ମୀର, ସିକ୍କିମ, ତ୍ରିପୁରା,ଝାଡଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ।
କଂଗ୍ରେସ ସାଂସଦ ବେଣୁଗୋପାଳ ସଂସଦରେ ପ୍ରଶ୍ନ କରିଥିଲେ ଯେ କରୋନାର ଦ୍ବିତୀୟ ଲହରରେ କେତେ ଜଣ ଲୋକ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଛନ୍ତି। ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟ ହେଉଛି ରାଜ୍ୟର ବିଷୟ। ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳ ନିୟମିତ ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ମୃତ୍ୟୁ ରିପୋର୍ଟ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥାଏ । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ରିପୋର୍ଟ ଅନୁଯାୟୀ ଦେଶରେ ଅମ୍ଳଜାନ ଅଭାବ ହେତୁ ଗୋଟିଏ ବି ମୃତ୍ୟୁ ଘଟି ନାହିଁ। ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ବିବାଦ ଉପୁଜିଥିଲା।

Related Posts