
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ବ୍ଲାକମେଲିଂ ଘଟଣାରେ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ଏବେ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି। ତେବେ ଏହାରି ଭିତରେ ଜଗବନ୍ଧୁଙ୍କୁ ହାଇକୋର୍ଟରୁ ଏକ ଝଟକା ଲାଗିଛି । ଜଗବନ୍ଧୁଙ୍କ ଆଗୁଆ ଜାମିନ ଆବଦେନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ମାମଲାର ଶୁଣାଣିରେ ଆଉ ଆବଶ୍ୟକତା ନାହିଁ । ତେଣୁ ମାମଲା ପ୍ରତ୍ୟାହାର କରିବାକୁ ଆବେଦନକାରୀଙ୍କୁ କହିଛନ୍ତି କୋର୍ଟ । ତେବେ ନିଜର ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଜଗବନ୍ଧୁ ।
ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଅର୍ଚ୍ଚନାଙ୍କ ବ୍ଲାକମେଲିଂ କାର୍ଯ୍ୟରେ ଜଗବନ୍ଧୁ ମାଷ୍ଟର ମାଇଣ୍ଡ ଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତ କରି ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି ଆଇପିସି ର ଦଫା ୩୫୪ (ଗ), ୩୮୬, ୩୮୭, ୩୮୮, ୩୮୯, ୩୨୮, ୫୦୬, ୧୨୦ (ଖ), ୬୬/୬୬ ରେ ମାମଲା ରୁଜୁ କରିଛି ।
ସେପଟେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବା ମାମଲାରେ ଗତକାଲି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। କୋର୍ଟ ଏହି ମାମଲାରେ ଶୁଣାଣି କରି ନିଜର ରାୟ ସଂରକ୍ଷିତ ରଖିଛନ୍ତି।