ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ନାଦିଆ ଗଣଦୁଷ୍କର୍ମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦୀୟ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ଏହି ମାମଲାରେ ବୟାନ ଦେଇ ମମତା କହିଛନ୍ତି, ଆପଣ କିପରି ଜାଣିବେ ଯେ, ତାହା ସହ ଦୁଷ୍କର୍ମ ହୋଇଥିଲା ନା ଗର୍ଭବତୀ ଥିଲା। ଏହା ତାର ପ୍ରେମ ପ୍ରସଙ୍ଗ ଥିଲା କିମ୍ୱା ସେ ଅସୁସ୍ଥ ଥିଲା କିପରି ଜାଣିବେ? ଏପରି କି ଏହା ଏକ ପ୍ରେମ ପ୍ରସଙ୍ଗ ବୋଲି ପରିବାର ଲୋକେ ମଧ୍ୟ ଜାଣିଥିଲେ। ଯଦି ଦୁହିଙ୍କ ମଧ୍ୟରେ ସମ୍ପର୍କ ଥିବ, ତେବେ ସେମାନଙ୍କୁ କିପରି ଅଟକାଇ ପାରିବି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସେପଟେ ଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ଏକ ନାବାଳିକାର ମୃତ୍ୟୁରେ ଚହଳ ସୃଷ୍ଟି କରିଛି।
ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଗୋଟିଏ ଜନ୍ମ ଦିନ ପାର୍ଟିରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି। ଘରକୁ ଫେରିବା ପରେ ଝିଅଟର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ମୁଖ୍ୟ ଅଭିଯୁକ୍ତ ଟିଏମସି ନେତାଙ୍କ ପୁଅ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜଗୋପାଳକୁ ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ, ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି। ଏହାରି ଭିତରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡି କୋଲକାତା ଉଚ୍ଚ ନ୍ୟାୟଳୟରେ ଦୁଇଟି ଜନହିତ ମାମଲା ଦାଖଲ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।