ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା; ମୋ ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ରାଜନୀତି କରୁଛନ୍ତି କହି ଥାନାରେ ଅଭିଯୋଗ ଦେଲେ ବାପା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ୟ୍ୟରତ ଲଳିତ ସାହୁ(୨୨)ଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ରାଜନୀତି କରୁଥିବା ନେଇ ଲଳିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଛନ୍ତି। ଏଭଳି ମାନସିକ ଚାପ ଫଳରେ ପରିବାରର କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ ବୋଲି ଏତଲାରେ ଦର୍ଶାଇଛନ୍ତି ମୃତ ଲଳିତଙ୍କ ବାପା ବେଲାର୍ସେନ ସାହୁ।

ପୁଅ କୌଣସି କର୍ମ ସଂସ୍ଥାନ ପାଉନଥିବାବେଳେ ସୌଭାଗ୍ୟରୁ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ ବୋଲି ଏତଲାରେ ଲେଖାଯାଇଛି। ତେଣୁ ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଝାରସୁଗୁଡା ଟାଉନଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବେଲାର୍ସେନ ସାହୁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts