ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବା ବହୁ ପଛରେ; ସ୍ୱାସ୍ଥ୍ୟକର୍ମୀ ଓ କ୍ଲାକଙ୍କ ଭରସାରେ ରୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବା ବହୁ ପଛରେ । କାହିଁକିନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩ଟି ଉପଖଣ୍ଡ ଡାକ୍ତରଖାନା ଓ ୨୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେଉଁଠି ବି ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ବର୍ଷବର୍ଷ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ। ସେପଟେ ନୂତନ ଭାବେ ସରକାରଙ୍କ ପକ୍ଷରୁ ନିଯୁକ୍ତ ହେଉଥିବା ଡାକ୍ତର ଉଚ୍ଚଶିକ୍ଷା ଆଳ ଦେଖାଇ କାର‌୍ୟ୍ୟରେ ଯୋଗ ଦେଉନାହାନ୍ତି। ଯେଉଁ କେତେଜଣ ଯୋଗ ଦେଉଛନ୍ତି କିଛିଦିନ ପରେ ଲମ୍ବା ଛୁଟିରେ ରହି ଆଉ ଆସୁନାହାନ୍ତି। ଡାକ୍ତର ଅଭାବ ଯୋଗୁ କେଉଁଠି ରୋଗୀ ଚିକିତ୍ସା ସେବା ପାଇଁ ଏନ୍ଏନ୍ଏମ୍ଙ୍କ ଉପରେ ନିର୍ଭର କରୁଛନ୍ତି ତ ଆଉ କେଉଁଠି କ୍ବାକ୍ଙ୍କୁ ଭରସା କରିବାକୁ ବାଧ୍ୟ ହେଉଛନ୍ତି।

ଜିଲ୍ଲାରେ ମୋଟ୍ ୫୪୯ ଜଣ ଡାକ୍ତର ରହିବା କଥା; ହେଲେ ଅଛନ୍ତି ମାତ୍ର ୨୭୭ ଜଣ। ୨୭୨ ଡାକ୍ତର ପଦ ଖାଲି ପଡ଼ିଛି। ଏମିତିକି ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୩ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୪୦ଜଣ ଅଛନ୍ତି। ୪୩ଟି ପଦବୀ ଖାଲି ପଡ଼ିଛି। ଜିଲ୍ଲାରେ ନୂତନ ଭାବେ ୭୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପାଇଁ ଓ ବିଭିନ୍ନ ଆଳ ଦେଖାଇ କାର‌୍ୟ୍ୟରେ ଯୋଗ ଦେଉନାହାନ୍ତି। ଜିଲ୍ଲାର ୩ଟି ଉପଖଣ୍ଡ ଡାକ୍ତରଖାନାରେ ବି ଅନୁରୂପ ଅବସ୍ଥା। ଉଦଳା ଉପଖଣ୍ଡ ଡାକ୍ତରଖାନାରେ ୭, କରଞ୍ଜିଆରେ ୮ ଓ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି।

ଡାକ୍ତର ଅଭାବରୁ ଏଠାରେ ରୋଗୀସେବା ଠିକ୍ ଭାବେ ହୋଇ ପାରୁନାହିଁ। ସେହିପରି ବିଶୋଇ ଓ ଶୁକୃଳି ବ୍ଲକ୍ରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହି ଦୁଇ ବ୍ଲକ୍ରେ ୨ଜଣ ଲେଖାଏ ଡାକ୍ତର ପାଳି କରି ରୋଗୀ ଦେଖୁଛନ୍ତି। ବିଶୋଇରେ ୧୨ ଓ ଶୁକୃଳିରେ ୧୧ ଡାକ୍ତର ପଦ ଖାଲି ପଡ଼ିଛି। ତିରିଂ ଓ ବାଙ୍ଗିରପୋଷି ବ୍ଲକ୍ରେ ୩ ଜଣ ଲେଖାଏ ଡାକ୍ତର କାମ କରୁଛନ୍ତି। ଏହି ଦୁଇ ବ୍ଲକ୍ରେ ୨୨ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଯଶିପୁରରେ ୧୨, ବହଳଦାରେ ୧୧, ଗୋପବନ୍ଧୁନଗରରେ ୧୦, ସାରସକଣାରେ ୧୦, ବିଜାତଳା, କୁସୁମୀ ଓ ଜାମଦାରେ ୯, ବଡ଼ସାହି, ମୋରଡ଼ା, କପ୍ତିପଦା ଓ କରଞ୍ଜିଆ ବ୍ଲକ୍ରେ ୮ଟି ଲେଖାଏ ଡାକ୍ତର ପଦବୀ ଖାଲି ରହିଛି।

Related Posts