
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପକ୍ଷରୁ ମାୟାବତୀ ରାଷ୍ଟ୍ରପତି ହେବାକୁ ଚାହୁଁଥିବା ଗୁଜବ ପ୍ରଚାରକୁ ନେଇ ମୁହତୋଡ ଜବାବ ଦେଇଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ । ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କୁ କାଉଣ୍ଟର କରି କହିଛନ୍ତି ମୁ ରାଷ୍ଟ୍ରପତି ନୁହେଁ ବରଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଛି ।
ଆଜି ମାୟବତୀଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ଦଳର ସାଧାରଣ ସମ୍ପାଦକ ଏସ୍ସି ମିଶ୍ରା ଓ ଦଳର ଏକମାତ୍ର ବିଧାୟକ ଉମା ଶଙ୍କର ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହାକୁ ନେଇ ନୂଆ ରାଜନୀତିକ ସମୀକରଣ କଥା କୁହାଯାଉଥିବା ବେଳେ ମାୟାବତୀ ଏହାକୁ ଖଣ୍ଡନ କରିଛନ୍ତି। ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ଉଭୟ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିବା ସେ କହିଛନ୍ତି।
ବୁଧବାର ମୈନପୁରରେ ଅଖିଲେଶ ଯାଦବ ସିଧାସଳଖ ମୟାବତୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ନିକଟରେ ଶେଷ ହୋଇଥିବା ୟୁପି ବିଧାନସଭା ନିର୍ବାଚନ ବେଳେ ମାୟାବତୀ ନିଜ ଦଳର ଭୋଟକୁ ବିଜେପି ଖାତାକୁ ସ୍ଥାନାନ୍ତର କରିଥିଲେ। ଏହା ବଦଳରେ ବିଜେପି ତାଙ୍କୁ ଦେଶର ରାଷ୍ଟ୍ରପତି କରୁ ବୋଲି ମୟାବତୀ ଚାହୁଁଥିବା ଅଖିଲେଶ ଅଭିଯୋଗ କରିଥିଲେ।
ଏହି ବୟାନ ପରେ ମୟାବତୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ମୋତେ ରାଷ୍ଟ୍ରପତି କରି ଉତ୍ତର ପ୍ରଦେଶରେ କ୍ଷମତା ଦଖଲ ପଥକୁ ପରଷ୍କାର କରିବାକୁ ସ୍ୱପ୍ନ ଦେଖୁଥିବା ସମାଜବାଦୀ ପାର୍ଟି ଏହାକୁ ଭୁଲି ଯାଉ। ମୁଁ କେବେ ହେଲେ ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିନି। କାରଣ ମୁଁ ସହଜ ନୁହେଁ, ସଂଘର୍ଷପୂର୍ଣ୍ଣ ଜୀବନ ଚାହେଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଣି ହେବାକୁ ମୁଁ ସ୍ୱପ୍ନ ଦେଖିଛି। ଏଥିସହ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ବି ମୋର ଇଚ୍ଛା।
ଆମ ଶାସନ କାଳରେ ତିଆରି ହୋଇଥିବା ସ୍ମାରକୀଗୁଡ଼ିକୁ ଅବହେଳା କରାଯାଉଛି। ଉଭୟ ସପା ଓ ବିଜେପି ସମୟରେ ଏପରି ଘଟଣା ଘଟିଥିଲା। ତେଣୁ ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏସ୍ସି ମିଶ୍ରାଙ୍କ ନେତୃତ୍ୱରେ ବିଏସ୍ପିର ଗୋଟିଏ ଟିମ୍ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛି ।