ବିଷାକ୍ତ ମଦ ରୋକିବା ପାଇଁ ଲୋକଙ୍କୁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ସୁପ୍ରିମକୋର୍ଟରେ ପଞ୍ଜାବ ସରକାରଙ୍କ ଅଜବ ବୟାନ

ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ବିହାରରେ ମଦ ବ୍ୟନ୍ ହୋଇଛି। ଏହା ସତ୍ତ୍ବେ ବିଷାକ୍ତ ମଦ ପିଇ ବିହାରର ସାରଣ ଏବଂ ସିୱାନ ଜିଲ୍ଲାରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟରେ ପଞ୍ଜାବର ଆପ୍‌ ସରକାର ମଦ ସଂପର୍କରେ ଏକ ଅଜବ ଯୁକ୍ତି ରଖିଛନ୍ତି। ଭଗୱନ୍ତ ମାନ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ଚୋରା ଦେଶୀ ମଦ ସମସ୍ୟାକୁ ଦୂର କରିବା ଲାଗି ଏକ ଶକ୍ତ ବିକଳ୍ପ ଭାବେ ଦେଶୀ ମଦର ସ୍ବାସ୍ଥ୍ୟକର କିସମ ଉପଲବ୍ଧ କରାଇବା ଯୋଜନା ପ୍ରସ୍ତୁତ କରାଯାଉଛି। ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ନକଲି ଏବଂ ବିଷାକ୍ତ ମଦ ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି। ଏଥିସହିତ ମଦ ଭାଟି କିମ୍ବା ନକଲି ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ ନିଆଯାଇଥିବା ସଂପୂର୍ଣ୍ଣ ତଥ୍ୟ ରଖାଯାଇଛି। ବିଚାରପତି ଏମଆର୍‌ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି ଯେ ପଞ୍ଜାବ ସରକାର ନିଜର ଶପଥପାଠରେ ମଦ ମିଳିବା କଥା ତ କହିଛନ୍ତି କିନ୍ତୁ ଏହି ମଦ କାରଖାନା କାହାର ଥିଲା କିମ୍ବା କାହା ‌ପ୍ରରୋଚନାରେ ଚାଲିଥିଲା? ପରଦା ପଛରେ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ କିଛି କୁହାଯାଇନାହିଁ। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ ଫେବ୍ରୁଆରି ୧୦ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ପଞ୍ଜାବ ସରକାର ବର୍ତ୍ତମାନ ସୁଦ୍ଧା ନେଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଶପଥପାଠ ସହ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ପଞ୍ଜାବ ସରକାର କହିଛନ୍ତି, ଯେ ସ୍ଥାନୀୟ ପ୍ରଶାସନକୁ ଏହା ନିର୍ଦ୍ଦେଶ ଦିଆଯାଇଛି ଯେ ବେଆଇନ ଭାବେ କୌଣସି ଅଞ୍ଚଳରେ ଯଦି କେହି ମଦ ଭାଟି କିମ୍ବା ବ୍ୟବସାୟ ଚଳାଉଥିବା ଜଣାପଡ଼େ ସ୍ଥାନୀୟ ପୁଲିସକୁ ସେଥିପାଇଁ ଦାୟୀ କରାଯିବ। ଡିସେମ୍ବର ୭ ତାରିଖରେ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ସରକାରଙ୍କ ପକ୍ଷରୁ ଏ ନେଇ ସଚେତନତା ଅଭିଯାନ ମଧ୍ୟ ଚାଲିଛି। ତେବେ ବଡ଼ ମଦ ଭାଟି ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

Related Posts