ବର୍ଷା ବୁଡାଇଲା ରେଳ ଧାରଣା, ଟ୍ରେନ ବାତିଲ

ସତ୍ୟପାଠ ବ୍ୟୁରୋ : ବର୍ଷାରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ । ଗତ ଶୁକ୍ରବାର ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଛାଡିବାର ଯେମିତି ନାଁ ଧରୁନି । ପ୍ରବଳ ବର୍ଷାରେ ମାଟୁଙ୍ଗା, ସାୟନ, ଦାଦର ଇଷ୍ଟ ୱେଷ୍ଟ, କୁର୍ଲା, ଚେମ୍ବୁର ଆଦି ଇଲାକା ଜଳମଗ୍ନ ହୋଇଛି । ରେଳ ଧାରଣା ଉପରେ ପାଣି ଜମି ରହିଛି । ଫଳରେ ରେଳସେବା ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ୩୧ଟି ଟ୍ରେନ ବାତିଲ କରିଥିବା ବେଳେ ରେଳ ଚଳାଚଳ କରିବା ଏବେ ସମ୍ଭବପର ହେଉନାହିଁ ।

ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ ଲାଇନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟରେ ଏକ ମାଲବାହୀ ଟ୍ରେନ୍ ରେଳ ଧାରଣାରୁ ଖସି ଯାଇଛି। ମଧ୍ୟ ରେଲଓ୍ୱେର ଡାଉନ ଲାଇନରେ ଜବୁଙ୍ଗ ଏବଂ ଠାକୁରବାଡି ମଧ୍ୟରେ ଥିବା ରେଳ ଧାରଣାରେ ମାଲବାହୀ ଟ୍ରେନ ଓହରି ଯାଇଛି। ଘଟଣା ସ୍ଥଳରେ ରେଲଓ୍ୱେ ପ୍ରଶାସନ ପହଞ୍ଚି ମରାମତି କରୁଛନ୍ତି। ତେବେ ମାଲଗାଡ଼ି ଲାଇନଚ୍ୟୁତ ହେବା ପଛର କାରଣ ଜଣାପଡ଼ି ନାହିଁ। ଏଥିପାଇଁ ଅନେକ ଟ୍ରେନ ବିଳମ୍ୱିତ ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଗୁଡିକ ଅନ୍ୟ ରୁଟରେ ଦିଗ ପରିବର୍ତ୍ତନ କରିଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ରବିବାର ରାତି ସାଢେ ୧୧ଟା ରୁ ସକାଳ ୬ଟା ପର‌୍ୟ୍ୟନ୍ତ ୬୩ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ରାସ୍ତାରେ ଏତେ ମାତ୍ରରେ ପାଣି ଜମି ରହିଛି ଯେ ପିଲାଙ୍କୁ ସ୍କୁଲ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାସ୍ତାରେ ଗାଡି ମାତ୍ର ଅଧା ଅଧା ପାଣିରେ ବୁଡି ରହିଛି ।

Related Posts