ଏସଆରସି କମ୍ପାନୀ ବିରୋଧରେ ଅନଶନରେ ବସିଛନ୍ତି ବିସ୍ଥାପିତ, ଶୁଣୁନି ପ୍ରଶାସନ

ସତ୍ୟପାଠ ବ୍ୟୁରୋ : କମ୍ପାନୀ ଖୋଲିବା ପୂର୍ବରୁ ପ୍ରତିଶ୍ରୁତିର ପାହାଡ ବୁଣିଲେ ଉଭୟ କମ୍ପାନୀ କର୍ତ୍ତୁପକ୍ଷ ଓ ସରକାର । କମ୍ପାନୀ ବସିବ ବୋଲି ଜଳ, ଜମି, ଜଙ୍ଗଲ ସବୁ ଗଲା । ବିସ୍ଥାପିତ ହୋଇ ବେସାହାରା ହେଲେ ଶହ ଶହ ପରିବାର । ତଥାପି ଆଶା ଥିଲା କମ୍ପାନୀରେ ପିଲାଏ ଚାକିରୀ କରିବେ, ପରିବାର ଚଳିବ । ହେଲେ ସେମିତି କିଛି ହେଲା ନାହିଁ । ନା ବିସ୍ଥାପିତଙ୍କୁ ସରକାରୀ ସାହାଯ୍ୟ ମିଳିଲା ନା ସ୍ଥାନୀୟ ବେରୋଜଗାରଙ୍କୁ ଚାକିରୀ । ପ୍ରତିଶ୍ରୁତି ଓ ପ୍ରତାରଣାର ପ୍ରତିଦିନ ଫର୍ଦ୍ଦ ଓଲଟାଇ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବଡକାଳିମାଟୀ ଗ୍ରାମବାସୀ । ଏମାନଙ୍କୁ ସମର୍ଥନ କରି ପୁରା ପଂଚାୟତର ଅନେକ ଲୋକ ଧାରଣାରେ ବସିଛନ୍ତି ହେଲେ ପ୍ରଶାସନର କମ୍ପାନୀ ପ୍ରିତୀ ପାଇଁ ଏମାନଙ୍କ ସହ କୌଣସି ଆଲୋଚନା ହେଉନାହିଁ ।

ଯୋଡା ବଡକାଳିମାଟୀ ଠାରେ ରହିଛି ଏସାର କମ୍ପାନୀ । କମ୍ପାନୀ ପ୍ରତିଷ୍ଠା ହେବା ଦିନ ଠାରୁ ବିସ୍ଥାପିତଙ୍କୁ ଥଇଥାନ କରାଯାଇନି କି ସେମାନଙ୍କ କର୍ମନିଯୁକ୍ତି ପ୍ରତି ଧ୍ୟାନ ଦେଇନି କମ୍ପାନୀ । ଫଳରେ ଏହା ବିରୋଧରେ ବାରମ୍ବାର ପ୍ରଶାସନର କବାଟ ବାଡେଇଛନ୍ତି ବଡକାଳିମାଟି ବାସିନ୍ଦା । କିନ୍ତୁ ପ୍ରଶାସନ ଏମାନଙ୍କ ଦୁଃଖ ଶୁଣିବ କଣ ବରଂ ଏମାନଙ୍କୁ ଦୁରଦୁର ମାର ମାର କରୁଥିବା ଏମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଏହାର ବିରୋଧରେ ଲଢ଼େଇ କରୁଥିବା ବଡକାଳିମାଟି ବାସିନ୍ଦା ଶେଷରେ ଗତ ୧୭ ତାରିଖରୁ କେନ୍ଦୁଝର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି । ୧୫ ଦିନ ଧରି ଖରାବର୍ଷାରେ ଜରିପାଲ ତଳେ ସେମିତି ବସି ରହିଛନ୍ତି ଅନଶନକାରୀ । କିନ୍ତୁ ନା କମ୍ପାନୀ ତରଫରୁ କେହି ଆଲୋଚନାକୁ ଆସୁଛି ନା ପ୍ରଶାସନ ଏମାନଙ୍କ ସହ ଆଲୋଚନା କରୁଛି ।

ଆମରଣ ଅନଶନରେ ବସି ବସି ଏମାନଙ୍କ ମଧ୍ୟରୁ ଅନେକ ଅସୁସ୍ଥ ହୋଇ ଡାକ୍ତରଖାନା ଗଲେଣି । ତଥାପି ଏ ଗରୀବ ଖଟିଖିଆଙ୍କ ଉପରେ କାହାରି ଯେମିତି ନଜର ପଡୁନି । ଦାୟିତ୍ୱବାନ ପ୍ରଶାସନ ବି ଏତେ ପାରିବାର ଯେ, ଏମାନେ ଅନଶନରେ ବସିବା ପରଦିନ ଠାରୁ ଲମ୍ବା ଛୁଟିରେ ପଳାଇଛନ୍ତି ଉପଜିଲ୍ଲାପାଳ । ଯାହା ଦୁଆରେ ବସି ଅନଶନ ଚାଲିଛି , ସେ ହିଁ ଛୁଟିରେ ପଳାଇଛନ୍ତି । ଆଉ ଜିଲ୍ଲାପାଳ ତ ଖବର ପାଇ ବି ନଜାଣିଲା ଭଳି କୁଆଡେ କିଛି ଶୁଣୁନାହାଁନ୍ତି ବୋଲି ଲୋକେ କହୁଛନ୍ତି ।

ସବୁଠୁ ବଡ କଥା ହେଲା, ବାହୁବଳୀ ନେତା ସନାତନ ମହାକୁଡଙ୍କ ବିରୋଧରେ ଏହି ଆମରଣ ଅନଶନକାରୀ ଆଣିଛନ୍ତି ସଂଗୀନ ଅଭିଯୋଗ । ଏସାର କମ୍ପାନୀ ସହ ସନାଙ୍କ ସମ୍ପର୍କ ଥିବାରୁ ଓ ସନା ଉକ୍ତ କମ୍ପାନୀର ସର୍ବେସର୍ବା ହୋଇଥିବାରୁ ସାଧାରଣ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଆନ୍ଦୋଳନକାରୀ କହିଛନ୍ତି ଏସାର କମ୍ପାନୀ ଓ ସନା ମହାକୁଡ ସହ ହାତ ମିଳାଇଛି ପ୍ରଶାସନ । ସରକାରୀ ସ୍ତରରେ ଯାଂଚ ସରିଥିଲେ ବି ବିସ୍ଥାପିତଙ୍କୁ ଥଇଥାନ କରାନଯିବା ପଛର କାରଣ କଣ ତାହା ପ୍ରଶାସନ କହିବା ଦରକାର ବୋଲି ଦାବୀ କରିଛନ୍ତି ଆନ୍ଦୋଳନକାରୀ ।

କିଛି ଜଣଙ୍କ କହିବା କଥା, “ଏସାର କମ୍ପାନୀ ବିରୋଧରେ ଯାଇ ଆମେ ଅନଶନରେ ବସିଛୁ । ଯଦି ଏଠୁ ଉଠିକି ଯିବୁ ତେବେ ସନା ହାତରେ ଆମେ ମରିବୁ । ତା ଠୁ ଭଲ ଉପଜିଲ୍ଲାପାଳ ଏଇଠି ଆମକୁ ମାରି ଦିଅନ୍ତୁ ।”

ଏହାହିଁ ଦର୍ଶାଉଛି କିଭଳି ଭାବେ ଓଡିଶା ସରକାର କମ୍ପାନୀ ପ୍ରିତୀ ଦେଖାଉଛନ୍ତି । ଗୋଟିଏ କମ୍ପାନୀ ପାଇଁ ଶହ ଶହ ଲୋକେ ବିସ୍ଥାପିତ ହୋଇଥିଲେ ବି ସେମାନଙ୍କ ଜୀବନଜୀବିକା ପ୍ରତି ପ୍ରଶାସନ ଦାୟିତ୍ୱ ନେବା ବଦଳରେ ନିଜ ଉତ୍ତର ଦାୟିତ୍ତବ ଭୁଲିଯାଉଛି । ମୁଣ୍ଡଫଟା ଖରା ହେଉ କି ଢ଼ୁ ଢ଼ୁ ବର୍ଷା, ଯେମିତି ଏମାନଙ୍କ ଅନଶନକୁ ଭାଙ୍ଗିବାକୁ କାହାର ଶକ୍ତି ନାହିଁ । ତେବେ ପ୍ରଶାସନ ଏମାନଙ୍କ ପ୍ରତି ଦୃଷ୍ଟି ଦେଉଛି କି ନାହିଁ ତାହା ଦେଖିବାର କଥା…

Related Posts