ନୂଆଦିଲ୍ଲୀ : ଲଗାଣ ବର୍ଷା ଓ ଭୂସ୍ଖଳନରେ ବେହାଲ ହୋଇପଡିଛି ଆସାମର ରାଜଧାନୀ ଗୁଆହାଟୀ | ବୁଧବାର ଲଗାତର ବର୍ଷା ହେବା ଫଳରେ ସହରର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଦେଖା ଯିବା ସହ ଅନେକ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି | ତେବେ ସୌଭାଗ୍ୟକ୍ରମେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।
ତେବେ ଚଳିତ ବର୍ଷ ଆରମ୍ଭରୁ ଏବେସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୪୨ ଜଣଙ୍କ ଜୀବନ ଗଲାଣି । ମଙ୍ଗଳବାର ବୋରାଗାଁରେ ଭୂସ୍ଖଳନରେ ୪ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଆସାମ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅଧିକାରୀ କହିଛନ୍ତି ଯେ, ଭୂସ୍ଖଳନ ପାଇଁ ଗୀତାନଗର, ସୋନାପୁର, କଳାପାହାଡ ଓ ନିଜାରାପୁର ଅଞ୍ଚଳରେ ରାସ୍ତା ବନ୍ଦ ହୋଇଯାଇଛି ।
ରାସ୍ତାରେ ପାଣି
ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ପାଣି ଘେରରେ ରହିଛି । ଅନିଲ ନଗର, ନବୀନ ନଗର, ରାଜଗଡ, ହାଟୀଗାଁ ଓ କୃଷ୍ଣା ନଗର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏନଡିଆରଏଫ୍ ଓ ଏସଡିଆରଏଫ ଯବାନମାନେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଏହାସହ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ଅନେକ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟରେ ଡଙ୍ଗା ବ୍ୟବହାର ହେଉଛି । ଆଗାମୀ କିଛି ଦିନ ଯାଏଁ ମଧ୍ୟ ଅନେକ ସହରରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି ।
ବିଜୁଳି ସରବରାହ ବନ୍ଦ
ବର୍ଷା ଓ ଭୂସ୍ଖଳନ ପାଇଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ତେବେ ବିଦ୍ୟୁତ ବିଭାଗ ଲଗାତର ଭାବେ ସେବା ଯୋଗାଇଦେବାକୁ ଉଦ୍ୟମ ଜାରି ରଖିଛି । ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନରେ ପୁନଃ ବିଦ୍ୟୁତ ସେବା ମିଳିବ ବୋଲି କୁହାଯାଉଛି ।
