ଆଜି ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ

ବାଲେଶ୍ବର: ଆଜି ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ | ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଦିଆଯାଇଛି ବନ୍ଦ ଡାକରା | ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଉଛି। ଆଜି ସହରର ବିଭିନ୍ନ ଛକରେ ରାସ୍ତାବନ୍ଦ କରାଯାଇଥିବାର ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଦୋକାନବଜାର ବନ୍ଦ ରହିଛି। ତା’ଛଡ଼ା ବସ୍ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିବା ପରିଲକ୍ଷିତ ହୋଇଛି |

ସୂଚନାଯୋଗ୍ୟ, ଗତ ୨ ଦିନ ଧରି ସହରରେ ପ୍ରଚାରପତ୍ର ବଣ୍ଟନ ଓ ପଥପ୍ରାନ୍ତ ସଭାରେ ଗୁରୁବାର ଅର୍ଥାତ୍‌ ୧୬ ତାରିଖ ଦିନ ୧୨ଘଣ୍ଟିଆ ବନ୍ଦକୁ ସମର୍ଥନ ଓ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ଗଣସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା।

ବାଲେଶ୍ବର ଜିଲ୍ଲାରେ ଲଗାତାର ଚୋରି, ଡକାୟତି, ହତ୍ୟା, ରାହାଜାନୀ ସମେତ ମଦ, ଗଞ୍ଜେଇ ଓ ବ୍ରାଉନନସୁଗାର ଭଳି ମାରାତ୍ମକ ନିଶା କାରବାର ସାଧାରଣ ଜନଜୀବନ ପ୍ରତି ବିପଦ ସୃଷ୍ଟି କଲାଣି। ସବୁ ସମୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତେବେ ଅପରାଧ ଦମନରେ ଜିଲ୍ଲା ପୁଲିସ୍‌ର ସ୍ଥାଣୁତା ଓ ନିଷ୍କ୍ରିୟତାକୁ ଦାୟୀ କରି ବିଭିନ୍ନ ଗଣସଂଗଠନ ଓ ରାଜନୈତିକ ଦଳ ତରଫରୁ ଏହି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ଜିଲ୍ଲା ଓକିଲ ସଂଘ ଓ ବାଲେଶ୍ବର ସିଭିଲ୍ ସୋସାଇଟି ତରଫରୁ ଜନଗଣଙ୍କୁ ଅବଗତ କରାଯାଇଛି। ଏହି ଆହ୍ବାନକୁ ସମର୍ଥନକରି ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ଗଣସଂଗଠନ, ସାମାଜିକ ସଂଗଠନ, ଶ୍ରମିକ ଓ ମହିଳା ସଂଗଠନ ପ୍ରଭୃତିଙ୍କ ସମେତ ବହୁ ରାଜନୈତିକ ଦଳ ବାଲେଶ୍ବର ବନ୍ଦକୁ ସେମାନଙ୍କର ଅକୁଣ୍ଠ ସମର୍ଥନ ଜ୍ଞାପନ କରିଛନ୍ତି।

ସେହିପରି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ବାଲେଶ୍ବର ବନ୍ଦ ଡାକରାକୁ ସଫଳ କରିବା ଲାଗି ଆହ୍ବାନ ଦିଆଯାଇଛି।

Related Posts