ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ, ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୩.୧ରୁ ୫.୮ କିଲୋମିଟର ଉଚ୍ଚତାରେ ସକ୍ରିୟ ରହଛି। ଯାହାର ପ୍ରଭାବରେ ତମାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଆଗାମୀ ୨୪ଘଣ୍ଟାରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଜୁଲାଇ ୧ ତାରିଖ, ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ପ୍ରଭୃତି ୧୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ଓ ଉତ୍ତର ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବଜ୍ରପାତ ଓ କଟକର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହୋଇପାରେ ।

Related Posts