ଅମରନାଥରେ ବାଦଲ ଫଟା ବର୍ଷା ଘଟଣା: ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି

ଅନନ୍ତନାଗ: ଅମରନାଥରେ ବାଦଲ ଫଟା ବର୍ଷା ହୋଇଛି । ହଟାତ୍ ଶ୍ରଦ୍ଧାଳୁ ମାନେ ଯାତ୍ରାରେ ଥିବା ବେଳେ ବାଦଲ ଫଟା ବର୍ଷା ହୋଇଥିଲା । ଫଳରେ ଏବେ ଏହି ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଛି। ଏବେ ବି ୪୦ ଜଣ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଘଟଣା ସ୍ଥଳରେ ଏନ୍‌ଡିଆର୍‌ଏଫ୍, ଏସ୍‌ଟିଆର୍‌ଏଫ୍‌ ଓ ପୁଲିସ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆଜି ସନ୍ଧ୍ୟା ସାଢ଼େ ୫ଟା ସମୟରେ ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ଅମରନାଥର ଗୁମ୍ଫାର ଦୁଇ ପାର୍ଶ୍ୱ ଦେଇ ପ୍ରବଳ ଜଳ ଶ୍ରୋତ ବୋହିଥିଲା। ସଂଗେ ସଂଗେ ତିନି ଶିଖ୍ ଧର୍ମାଲମ୍ବୀ ପାଣିରେ ଭାସିଯାଇଥିଲେ।

କିଛି ସମୟ ପାଇଁ ହୋଇଥିବା ଏହି ଜଳ ପ୍ରଳୟରେ କେତେକ ଟେଣ୍ଟ ହାଉସ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରତ୍ୟେକ ଟେଣ୍ଟରେ ଅତି କମ୍‌ରେ ୪-୬ ଲୋକେ ରହୁଥିଲେ। ଏନ୍‌ଡିଆର୍‌ଏଫ୍‌ର କର୍ମଚାରୀଙ୍କ ସୂଚନା ଅନୁସାରେ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ନିଖୋଜ୍ ଅଛନ୍ତି। ଆହତମାନଙ୍କୁ ସିଧା ଏୟାର୍‌ଲିଫ୍ଟ କରି ଡାକ୍ତରଖାନା ନିଆଯାଉଛି। ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନର ଖରାପ ସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସ୍ଥିତି ଠିକ୍ ରହିଲେ କାଲିଠାରୁ ଯାତ୍ରା ଆରମ୍ଭ ହେବ ବୋଲି ITBP ଯବାନ ସୂଚନା ଦେଇଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଫୋନ୍ ଯୋଗେ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି ।

Related Posts