
ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟରେ ଚୋରି ଡକାୟତି ପରି ଘଟଣା ମଧ୍ଯ ସାମ୍ନାକୁ ଆସୁଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ, ରେଳ ଷ୍ଟେସନରେ ଡକାୟତି ଉଦ୍ୟମ କରୁଥିବା ବେଳେ ଆରପିଏଫ ୫ ଲୁଟେରାଙ୍କୁ ଗିରଫ କରୁଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଆରପିଏଫ ପୋଲିସ ଲଙ୍କା ଗୁଣ୍ଡ, ଚାରୋଟି ଛୁରୀ, କଳା କନା ଜବତ କରିଛି। ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତକାଲି ସନ୍ଧ୍ୟା ସମୟରେ ଏହି ଅଭିଯୁକ୍ତ ମାନେ ରେଳଷ୍ଟେସନରେ ଥିବା ଯାତ୍ରୀଙ୍କୁ ଲୁଟିବା ସହ ଟ୍ରେନ ଭିତରେ ମଧ୍ୟ ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିଲେ। ତେବେ ସିସିଟିଭି ରେ ଏମାନଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ସେମାନଙ୍କ ଉପରେ କଡା ନଜର ରଖିଥିଲା। ଏହି ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି।
ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ମାନେ ପ୍ରଥମେ ଭୁବନେଶ୍ଵର ଓ ପରେ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇ ପାସେଞ୍ଜର ଟ୍ରେନରେ ପୁରୀ ଆସିଥିଲେ। ମହାପ୍ରଭୁଙ୍କ ଘୋଷଯାତ୍ରା ଯୋଗୁଁ ପୁରୀରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଜମୁଥିବାରୁ ଏହାର ଫାଇଦା ଉଠାଇବା ସହ ଟ୍ରେନରେ ଯିବା ଆସିବା କରୁଥିବା ଯାତ୍ରୀଙ୍କୁ ଲୁଟିବା ପାଇଁ ଯୋଜନା କରୁଥିଲେ ବୋଲି ଏକ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ଆରପିଏଫ ଅଧିକାରୀ ଅପରେଶ ବେହେରା ।