ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଝଟକା; ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ଖାରଜ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଝଟକା। ଇଡିର ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଏ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇପାରିବ ନାହିଁ ବୋଲି କହିବା ସହିତ, ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ତେବେ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗତ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଇଡିର ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋରେନ। ଆଜି ଏହି ମାମଲା ଉପରେ ବିଚାର କରି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ।

ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଏମ.ଏମ ସୁନ୍ଦରେଶ ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ବେଞ୍ଚ ସୋରନଙ୍କ ଆବେଦନର ଶୁଣାଣି କରିଥିଲେ। ଏ ଆବଦେନ ଉପରେ ସୁପ୍ରିମକୋର୍ଟରେ ବିଚାର ହୋଇପାରିବ ନାହିଁ, ଝାଡଖଣ୍ଡ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ଖଣ୍ଡପୀଠ।

ସୂଚନାଯୋଗ୍ୟ ଯେ, ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବାରମ୍ବାର ସମନ ପଠାଇଥିଲା ଇଡି। କିନ୍ତୁ ସେ ହାଜର ହୋଇନଥିଲେ। ଶେଷରେ ଜେରା ପାଇଁ ତାଙ୍କ ବାସଭବନରେ ଇଡି ପହଞ୍ଚିଥିଲା। କିନ୍ତୁ ୩୦ ଘଣ୍ଟାରୁ ଅଧିକ ସମୟ ପାଇଁ କୁଆଡେ ଚାଲି ଯାଇଥିଲେ ସୋରେନ। ସୋମବାର ଇଡି ଅଧିକାରୀମାନେ ତାଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଚଢାଉ କରିଥିଲେ। ରେଡ଼ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ଓ ଦୁଇଟି ଦାମୀ BMW କାରକୁ ମଧ୍ୟ ଜବତ କରିଥିଲେ। ଏହାପରେ ବୁଧବାର ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଇଡି ତାଙ୍କୁ ଗିରଫ କରିଛି।

Related Posts