ଏଣିକି ରକ୍ତହୀନତା ଦୂର କରିବା ପାଇଁ ସ୍କୁଲ, ଅଙ୍ଗନବାଡ଼ିରେ କରାଯିବ ହିମୋଗ୍ଲୋବିନ ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ରକ୍ତହୀନତା ଦୂର କରିବା ପାଇଁ ସ୍କୁଲ, ଅଙ୍ଗନବାଡ଼ିରେ କରାଯିବ ହିମୋଗ୍ଲୋବିନ ପରୀକ୍ଷା । ରାଜ୍ୟରେ ରକ୍ତହୀନତା ଦୂର କରିବା ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ମିସନ୍ ମୋଡରେ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। ନିକଟରେ ଆସିଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍ଏଚ୍ଏସ୍-୫ରେ ରାଜ୍ୟରେ ରକ୍ତହୀନତା ବୃଦ୍ଧି ପାଇଥିବା ନଜରକୁ ଆସିବା ପରେ ସରକାର ତତ୍ପର ହୋଇ ଉଠିଛନ୍ତି। ମହିଳା ଓ ଶିଶୁଙ୍କଠାରେ ରକ୍ତହୀନତା ଦୂର କରିବା ଲାଗି ସରକାର ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହାର ପ୍ରଥମ ବୈଠକ ବସିବା ସହିତ କିଭଳି ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଯିବ ତାହା ସଂପର୍କରେ ଆଲୋଚନା ହୋଇଛି। ପରବର୍ତୀ ସମୟରେ କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ଏକ ଏସ୍ଓପି ପ୍ରସ୍ତୁତ କରାଯିବ। ଦେଶ ତଥା ରାଜ୍ୟରେ ୧୯୭୦ ମସିହାରେ ରକ୍ତହୀନତା କାର୍ଯ୍ୟକ୍ରମ ଚାଲୁଛି।

ମାତ୍ର ଓଡ଼ିଶାରେ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁଙ୍କୁ ଦିଆଯାଉଥିବା ବଟିକା ଖାଇବାର ପ୍ରତିଶତ ବୃଦ୍ଧି ପାଇଥିଲେ ହେଁ ରକ୍ତହୀନତା କମୁନାହିଁ। ଏନ୍ଏଫ୍ଏଚ୍ଏସ୍-୪ରେ ରାଜ୍ୟରେ ୬-୫୯ ମାସର ୪୪.୬ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହୋଇଥିବା ବେଳେ ଏନ୍ଏଫ୍ଏଚ୍ଏସ୍-୫ରେ ଏହା ବୃଦ୍ଧି ପାଇ ୬୪.୨ ପ୍ରତିଶତରେ ପହଞ୍ଚିଛି। ସେହିପରି ୧୫-୪୯ବର୍ଷର ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ପୂର୍ବରୁ ୪୭.୬ ପ୍ରତିଶତ ଥିବା ବେଳେ ଏହା ୬୧.୮ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ୧୫-୪୯ବର୍ଷର ସମସ୍ତ ମହିଳାଠାରେ ପୂର୍ବରୁ ୫୧ ପ୍ରତିଶତଙ୍କଠାରେ ରକ୍ତହୀନତା ଥିବା ବେଳେ ଏନ୍ଏଫ୍ଏଚ୍ଏସ୍-୫ରେ ଏହା ୬୪ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ୧୫-୪୯ ପୁରୁଷଙ୍କ କ୍ଷେତ୍ରରେ ପୂର୍ବରୁ ୨୮ ପ୍ରତିଶତ ଥିବା ବେଳେ ଏହା ଏବେ ୨୮.୫ ପ୍ରତିଶତ ରହିଛି। ତେଣୁ ରକ୍ତହୀନତାକୁ ଦୂର କରିବା ଲାଗି ସରକାର ଆକ୍ସିଲେରେଟେଡ୍ ରିଡକସନ୍ ଅଫ୍ ଏନିମିଆ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମର ନାମ ‘ଅମ୍ଲାନ୍’ ରଖିବା ଲାଗି ଆଲୋଚନା ହୋଇଛି। ଆଗକୁ ଏହି କାର୍ଯ୍ୟକ୍ରମର ବିଧିବଦ୍ଧ ନାମ ଘୋଷଣା କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟତଃ ୬ଟି ବର୍ଗର ମହିଳା ଓ ଶିଶୁଙ୍କୁ ଟାର୍ଗେଟ୍ କରାଯିବ। ୬-୫୯ ମାସର ଶିଶୁ, ୫-୯ବର୍ଷ, ୧୦-୧୯ବର୍ଷ, ଗର୍ଭବତୀ ମହିଳା, ସନ୍ତପାନ କରୁଥିବା ମହିଳା ଓ ୨୦-୪୯ବର୍ଷର ମହିଳାଙ୍କ ହିମୋଗ୍ଲୋବିନ୍ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି।

ସ୍କୁଲ, ଅଙ୍ଗନବାଡ଼ି ଓ ଟି-୩ କ୍ୟାମ୍ପସ୍ରେ ଏହି ପରୀକ୍ଷା କରାଯିବ। ଯାହାଫଳରେ ରାଜ୍ୟରେ ପ୍ରକୃତରେ କେତେ ପ୍ରତିଶତ ରକ୍ତହୀନତାର ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ। ପରବର୍ତୀ ସମୟରେ ଏହି ତଥ୍ୟକୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏବେ ରକ୍ତହୀନତା ଦୂର କରିବା ଲାଗି ଆଇରନ୍ ଓ ଫଲିକ ଏସିଡ୍ ଦିଆଯାଉଛି। ଏହାସହ ମାଇକ୍ରୋନ୍ୟୁଟ୍ରାଣ୍ଟ ପ୍ରଦାନ ସହିତ ପରଜୀବୀ ରୋଗ ନିୟନ୍ତ୍ରଣ, ପରିବାର ନିୟୋଜନ ଓ ନିରାପଦ ମାତୃତ୍ବ ଉପରେ ଗୁରୁତ୍ବ ଦିଆଯିବ। ସେପଟେ ଏନ୍ଏଫ୍ଏଚ୍ଏସ୍-୫ ସର୍ଭେ ଅନୁଯାୟୀ ରାଜ୍ୟରେ ରକ୍ତହୀନତା ଦୂର ପାଇଁ ଦିଆଯାଉଥିବା ବଟିକା ଖାଉଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ମାତ୍ର ସେହି ଅନୁପାତରେ ରକ୍ତହୀନତା ବୃଦ୍ଧି ପାଇବା ସନ୍ଦେହ ସୃଷ୍ଟି କରିଛି। ତେଣୁ ଏହି ସନ୍ଦେହକୁ ଦୂର କରିବା ଲାଗି ହିମୋଗ୍ଲୋବିନ୍ ପରୀକ୍ଷା କରାଯିବ।

ଏଥିପାଇଁ ଏକାଧିକ ବିଭାଗକୁ ନେଇ ଗଠିତ ଟାସ୍କ ଫୋର୍ସର ପ୍ରଥମ ବୈଠକ ବସିଥିଲା। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଆଗକୁ ଏଭଳି ବୈଠକ ବସିବା ସହିତ କାର୍ଯ୍ୟକ୍ରମ ପାଇଁ ଏସ୍ଓପି ପ୍ରସ୍ତୁତ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତିରାଜ, ଏସ୍ସି ଓ ଏସ୍ଟି ବିଭାଗ, ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ବିଭାଗ ସାମିଲ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Related Posts