ହାଇକମାଣ୍ଡଙ୍କ ନିଷ୍ପତ୍ତି: ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ନେଇ ବିଧାୟକଙ୍କୁ ଅବଗତ କଲେ ପିସିସି ସଭାପତି

ଭୁବନେଶ୍ଵର: ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଭୋଟ ଦେବ ରାଜ୍ୟ କଂଗ୍ରେସ । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ହାଇକମାଣ୍ଡଙ୍କ ନିଷ୍ପତି ବିଷୟରେ ବିଧାୟକଙ୍କୁ ଅବଗତ କରାଇଛନ୍ତି । କଂଗ୍ରେସର ସମସ୍ତ ଭୋଟ୍ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି । ଯଶ୍ୱୱନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ୍ ଦେବା ପାଇଁ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି ।

ବୈଠକ ପରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗଣେଶ୍ୱର ବେହେରା ଓ ସନ୍ତୋଷ ସିଂହ ସାଲୁଜା ରାଷ୍ଟ୍ରପତି ନିର୍ବାଚନ ପାଇଁ କଂଗ୍ରେସ ଏଜେଂଟ ହୋଇଛନ୍ତି ।

ଅନ୍ୟପଟେ ଶାସକ ବିଜେଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମାଟିର ଝିଅ ଭାବେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଏହାଛଡା ଅନ୍ୟ ଦଳ ଠାରୁ କିଭଳି ସମର୍ଥନ ଯୋଗାଡ କରାଯାଇପାରିବ ସେଥିପାଇଁ ଉଦ୍ୟମ କରୁଛନ୍ତି ।

ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେବାକୁ କଂଗ୍ରେସ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ନବୀନ । ଏନେଇ ବିଜେଡ଼ି ନେତା କଂଗ୍ରେସ ନେତାଙ୍କୁ ଭେଟି ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।

Related Posts