ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠା ହେବ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ କ୍ୟାବିନ, ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲା ସାମିଲ

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟର ସମସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବ। ଏହି ଭିସି କ୍ୟାବିନ ଗୁଡିକରେ ଭର୍ଚୁଆଲ ଗୁଡିକରେ ମାମଲାର ଶୁଣାଣି ଠାରୁ ଆରମ୍ଭ କରି ଇ-ଫାଇଲିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିବ। ଫଳରେ ଏହି ଭିସି କ୍ୟାବିନ ସୁବିଧାର ଉପଯୋଗ କରି ଆଇନଜୀବୀ ଓ ପକ୍ଷମାନେ ଦୂରରେ ରହି ମଧ୍ୟ ହାଇକୋର୍ଟରେ ମାମଲା ପରିଚାଳନା କରି ପାରିବେ।ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍‌ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଭିସି କ୍ୟାବିନ ପ୍ରତିଷ୍ଠା କରାଯିବ। ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ (ରାଉରକେଲା), କଳାହାଣ୍ଡି (ଭବାନୀପାଟଣା), କୋରାପୁଟ (ଜୟପୁର), ଗଞ୍ଜାମ (ବ୍ରହ୍ମପୁର), ଖୋର୍ଦ୍ଧା (ଭୁବନେଶ୍ବର), ପୁରୀ, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଭିସି କ୍ୟାବିନ ପ୍ରଥମ ପର୍ଯ୍ୟାୟରେ ପ୍ରତିଷ୍ଠା କରାଯିବ। ଏହି ସବୁ ସ୍ଥାନରେ ଫେବୃୟାରୀ ୧ରୁ ଭିସି କ୍ୟାବିନ କିଭଳି ସୁଚାରୁ ଭାବେ କାର୍ଯ୍ୟ କରିବ ସେଥି ପାଇଁ ୨ ଜଣ ଲେଖାଏ କର୍ମଚାରୀ ଯୋଗଦେବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଭର୍ଚୁଆଲ ‌ହାଇକୋର୍ଟ ଭଳି କାମ କରିବ। ଭିସି କ୍ୟାବିନରେ ଇ-ଫାଇଲିଂ, ମେନ୍‌ସନିଂ, ରିମୁଭାଲ ଅଫ୍ ଡିଫେକ୍ଟସ୍, ମାମଲାର ଭର୍ଚୁଆଲ ଶୁଣାଣି, ସାର୍ଟିଫାଏଡ କପି ମଞ୍ଜୁର ଓ ଅନ୍ୟାନ୍ୟ ବ୍ୟବସ୍ଥା ଏସଓପି ଅନୁସାରେ ରହିବ। ଏହି ସବୁ ଜିଲ୍ଲାରେ ନିୟୋଜିତ କରାଯାଇଥିବା କର୍ମଚାରୀମାନଙ୍କୁ ଫେବ୍ରୁଆରି ୧ରେ ସଂପୃକ୍ତ ଜିଲ୍ଲା ଜଜଙ୍କ ନିକଟରେ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଖୁବଶୀଘ୍ର ଏହି ୧୦ଟି ଜିଲ୍ଲାରେ ଭିସି କ୍ୟାବିନ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏଭଳି ବ୍ୟାପକ ବ୍ୟବସ୍ଥା ଥିବା ଭିସି କ୍ୟାବିନ ପ୍ରତିଷ୍ଠା ଦ୍ବାରା ଜଣେ କଟକସ୍ଥିତ ହାଇକୋର୍ଟକୁ ନ ଆସି ମଧ୍ୟ ନିଜ ମାମଲା ଦାୟର ଠାରୁ ଆରମ୍ଭ କରି ଶୁଣାଣି ଓ ନିର୍ଦ୍ଦେଶର ସାର୍ଟିଫାଏଡ କପି ପାଇ ପାରିବ।

ତେବେ ଗୋଟିଏ ପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ ଏବେ ଏଭଳି ନିଷ୍ପତ୍ତି ଲୋକଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।

Related Posts