‘ଭାରତରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ଅଟନ୍ତି’: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ହିନ୍ଦୁ ଶବ୍ଦକୁ ନେଇ ବଡ ବୟାନ ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ‘ଭାରତରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ।ଭାରତରେ ଉତ୍ପାଦିତ ଖାଦ୍ୟ ଖାଇ ଜୀବନ ଧାରଣ କରିଥିବା ଓ ଏହି ଦେଶରେ ପ୍ରବାହିତ ନଦୀଜଳ ପିଉଥିବା ପ୍ରତିଟି ଲୋକ ନିଜକୁ ହିନ୍ଦୁ କହିବାର ହକଦାର ଅଟନ୍ତି ।ଏହି ଦୃଷ୍ଟିରୁ ମୁଁ ମଧ୍ୟ ହିନ୍ଦୁ।’ ତାଙ୍କୁ ବି ହିନ୍ଦୁ ଡାକିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି । ଆମେରିକୀୟ ରାଷ୍ଟ୍ରରେ ବସବାସ କରୁଥିବା ହିନ୍ଦୁ ପରିବାରର ସଂଗଠନ କେରଳ ହିନ୍ଦୁସ୍ ଅଫ୍ ନର୍ଥ ଆମେରିକା ପକ୍ଷରୁ ଆୟୋଜିତ ହିନ୍ଦୁ କନକ୍ଲେଭର ଉଦଘାଟନୀ ଅବସରରେ ସେ ଏପରି ବୟାନ ଦେଇଛନ୍ତି ।

ରାଜ୍ୟପାଳ ଆହୁରିମଧ୍ୟ କହିଛନ୍ତି ଯେ, ଆପଣଙ୍କ ନିକଟରେ ମୋର ବଡ ଅଭିଯୋଗ ରହିଛି। ଆପଣମାନେ କାହିଁକି ମୋତେ ହିନ୍ଦୁ କହୁନାହାନ୍ତି ? ମୁଁ ହିନ୍ଦୁକୁ ଏକ ଧାର୍ମିକ ଶବ୍ଦ ଭାବୁନାହିଁ । ଏହା ଏକ ଭୌଗିଳିକ ଶବ୍ଦ । ଭାରତରେ ଜନ୍ମିତ ଓ ଭାରତରେ ଜୀବନ ଧାରଣ କରୁଥିବା ପ୍ରତିଟି ଜନସାଧାରଣ ହିନ୍ଦୁ ପଦବାଚ୍ୟ । ତେଣୁ ତାଙ୍କୁ ମଧ୍ୟ ହିନ୍ଦୁ ବୋଲି କହିବା ଉଚିତ୍ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ତେବେ ବ୍ରିଟିଶ ଶାସନ କାଳରେ କେତେକ କାରଣ ଯୋଗୁଁ ଆପଣ କେଉଁ ସମ୍ପ୍ରଦାୟରେ ଜନ୍ମ ନେଇଛନ୍ତି ସେହି ଆଧାରରେ ନାଗରିକଙ୍କ ଅଧିକାର ସ୍ଥିର କରାଯାଉଥିଲା । ଏଥିରେ ମହାତ୍ମା ଗାନ୍ଧୀ ମଧ୍ୟ ନିରୁପାୟ ଥିଲେ । ହିନ୍ଦୁ, ମୁସଲିମ୍ ସହର ଭଳି ଶବ୍ଦଗୁଡିକର ବ୍ୟବହାର କରିବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ବ୍ରିଟିଶମାନଙ୍କ ଭିନ୍ନ ଦୃଷ୍ଟିକୋଣ ଥିଲା । ନିଜର ଶାସନ ଚଳାଇବାକୁ ସେମାନେ ସମାଜରେ ବିଭେଦତା ସୃଷ୍ଟି କରିଥିଲେ । ହେଲେ ହିନ୍ଦୁ ଏକ ଭୌଗଳିକ ଶବ୍ଦ ହୋଇଥିବାରୁ ଭାରତରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ନିଜକୁ ହିନ୍ଦୁ ଭାବିବା ଉଚିତ୍ ବୋଲି ଏହି ସମ୍ମିଳନୀରେ ଆରିଫ୍ ମହମ୍ମଦ ଖାନ୍ କହିଛନ୍ତି ।

Related Posts