ଉଚ୍ଚଶିକ୍ଷା ବିଭାଗରେ ବ୍ୟାପକ ପଦବୀ ଖାଲି

ସତ୍ୟପାଠ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗରେ ବ୍ୟାପକ ପଦବୀ ଖାଲି ପଡିଛି । ଶିକ୍ଷକ ପଦବୀ ପୁରଣ ବଦଳରେ ଠିକାରେ ଆସୁଥିବା ଅତିଥୀ ଅଧ୍ୟାପକଙ୍କ ଭରସାରେ ଚାଲିଛି ବ୍ୟବସ୍ଥା । ଯାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ବିଭାଗରେ ସଂସ୍କାର ଆଣିବାକୁ ସରକାର ଓ ବିଭାଗୀୟ ମନ୍ତ୍ରୀ ଚେଷ୍ଟା କରୁଥିବା ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏହି ପଦବୀ ଖାଲି ନେଇ ଯେମିତି ସମସ୍ତେ ନୀରବ ।

ଉଚ୍ଚଶିକ୍ଷା ବିଭାଗ ଅଧିନରେ ୫୨ଟି ସରକାରୀ କଲେଜ ଓ ୫୯୮ଟି ଅନୁଦାନପ୍ରାପ୍ତ କଲେଜ ଅଛି । ଏହି ୫୨ଟି ଯାକ କଲେଜରେ ବର୍ଷ ବର୍ଷ ଧରି ନିୟମିତ ଅଧ୍ୟକ୍ଷ ନାହାନ୍ତି । ସେହିପରି ସରକାରୀ କଲେଜ ଗୁଡିକ ଲାଗି ୨୩୦୦ ରୁ ଅଧିକ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ପଦବୀ ଥିବାବେଳେ ଏଥିରୁ ପ୍ରାୟ ଅଧା ଖାଲିପଡିଛି । ଏହି ସରକାରୀ କଲେଜ ଗୁଡିକ ଲାଗି ପ୍ରାୟ ୨୩୦୦ ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ଅଧାରୁ ଅଧିକ ଖାଲି ।

ରାଜ୍ୟରେ ଥିବା ୫୯୮ଟି ଯାକ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ କେଉଁଠି ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଏହି କଲେଜ ଗୁଡିକ ଲାଗି ୬୩୬୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ସହସ୍ରାଧିକ ପଦବୀ ଖାଲିପଡିଛି । ଏହାଛଡା ଏଗୁଡିକରେ ବି ବ୍ୟାପକ ସଂଖ୍ୟାରେ ଅଣଶିକ୍ଷକ ପଦବୀ ଖାଲି । ରାଜ୍ୟରେ କିଛିବର୍ଷ ଧରି ଆଉ କଲେଜକୁ ସ୍ୱୟଂଶାସିତ ମାନ୍ୟତା ମିଳୁନାହିଁ । ପୂର୍ବରୁ ୧୮ଟି ସରକାରୀ ଓ ୩୭ଟି ବେସରକାରୀ କଲେଜକୁ ସ୍ୱୟଂଶାସିତ ମାନ୍ୟତା ମିଳିଥିଲା । ଏଥିରୁ ୩ଟି ସରକାରୀ କଲେଜକୁ ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି ।
ଏହି ସରକାରୀ ଓ ବେସରକାରୀ ସ୍ୱୟଂଶାସିତ କଲେଜ ଗୁଡିକରେ ନିୟମିତ ଅଧ୍ୟକ୍ଷ ନଥିବାବେଳେ ଭୁବନେଶ୍ୱରରୁ ଜୟପୁର, ଭବାନୀପାଟଣା, ରାଉରକେଲା ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଯେତେ ସ୍ୱୟଂଶାସିତ କଲେଜ ରହିଛି ସେସବୁରେ ବି ବ୍ୟାପକ ସଂଖ୍ୟକ ଅଧ୍ୟାପକ ପଦବୀ ଖାଲି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆମ ରାଜ୍ୟରେ ଅନ୍ୟୁନ ୧୨ଟି ବିଶ୍ୱବିଦ୍ୟାଳୟ ରହିଛି । ଏଗୁଡିକ ମଧ୍ୟରୁ ଉକ୍ରଳ, ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ଶ୍ରୀଜଗନ୍ନାଥ, ଉତ୍ତରଓଡିଶା ଆଦି ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ମରୁଡି ଉକ୍ରଟତର ଥିବାବେଳେ ଏଗୁଡିକରେ ୧୨୦୦ରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲିପଡିଛି ।
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ତାହାର ଅନୁବନ୍ଧିତ କଲେଜ ଗୁଡିକରେ ଅନ୍ୟୁନ ଏକ ତୃତୀୟାଂଶ ଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଖାଲି ପଡିଥିବାବେଳେ ଏଠାରେ ବି ଅଣଶିକ୍ଷକ ପଦବୀ ପୂରଣ ଘେନି ସେତେ ତତ୍ପରତା ପ୍ରକାଶ ପାଉନାହିଁ । କଟକ, ବ୍ରହ୍ମପୁର, ବୁର୍ଲା, ବାରିପଦା, କୋରାପୁଟ, ବାଲେଶ୍ୱର, ବଲାଙ୍ଗିର ଆଦିରେ ଥିବା ସକରାରୀ ମେଡିକାଲ କଲେଜ ଗୁଡିକରେ ପ୍ରାୟ ୪୦୦ ଶିକ୍ଷକ ଓ ୧୩୦୦ ଅଣଶିକ୍ଷକ ପଦବୀ ଖାଲି । ପୁରୀ, ବଲାଙ୍ଗିର, ଅଙ୍କୁଶପୁରରେ ଥିବା ଆର‌୍ୟୁବେଦିକ ଏବଂ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ହୋମିଓପାଥିକ ମେଡିକାଲ କଲେଜ ଗୁଡିକରେ ବି ଡାକ୍ତରୀ ଶିକ୍ଷକ ମରୁଡି ଲାଗି ରହିଛି ।
Related Posts