ଦକ୍ଷିଣ ଭାରତରେ ପୁଣିଥରେ ମୁଣ୍ଡ ଟେକିଲା ହିଜାବ ବିବାଦ: ହିଜାବ ପିନ୍ଧିଥିବା ଯୁକ୍ତ ଦୁଇ ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ମିଳିଲାନି ଅନୁମତି

କୋଝିକୋଡେ: ଦକ୍ଷିଣ ଭାରତରେ ପୁଣିଥରେ ମୁଣ୍ଡ ଟେକିଛି ହିଜାବ ବିବାଦ । ହିଜାବ ପିନ୍ଧିଥିବା ନେଇ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ମିଳିନାହିଁ । ଏନେଇ କେରଳ କୋଝିକୋଡ଼େରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମୁସ୍ଲିମ ସଂଗଠନ ଭାରତୀୟ ଇସ୍ଲାମିକ ଛାତ୍ର ସଂଗଠନ(ଏସ୍‌ଆଇଓ) ଓ ମୁସ୍ଲିମ ଛାତ୍ର ସଂଘ(ଏମ୍‌ଏସ୍‌ଏଫ୍) ଏହାର ତୀବ୍ର ବିରୋଧ କରି କୋଝିକୋଡ଼େ ମହିଳା ଉଚ୍ଚମାଧ୍ୟମିକ ସ୍କୁଲ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛି। ଏନେଇ ସ୍କୁଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଘଟଣା ବିଷୟରେ ଛାତ୍ରୀଙ୍କର ବାପାମାଙ୍କୁ ଜଣାଇ ଦିଆଯାଇଥିଲା। ଏହାପରେ ତାଙ୍କ ଅଭିଭାବକ ମାମଲାରେ ହସ୍ତକ୍ଷେପ କରି ଛାତ୍ରୀଙ୍କର ପାଠ ପଢ଼ା ବନ୍ଦ କରିଦେଲେ। ହେଲେ ସ୍କୁଲ୍ କର୍ତ୍ତୃପକ୍ଷ କିନ୍ତୁ ତାଙ୍କର ନିୟମରେ ପରିବର୍ତ୍ତନ କରି ନାହାନ୍ତି।

ଏହି ଘଟଣା ପରେ ମୁସଲିମ ଛାତ୍ର ସଂଗଠନ ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅଣସାମ୍ବିଧାନିକ ପଦକ୍ଷେପ ନେଉଥିବାରୁ ସ୍କୁଲ୍‌ର ଅନୁମୋଦନ ରଦ୍ଦ କରିବାକୁ ଶିକ୍ଷା ବିଭାଗକୁ ଅନୁରୋଧ କରିଛି ସଂଗଠନ। ସ୍କୁଲ୍ ସାମ୍ନାରେ ବିକ୍ଷୋଭ ହେଉଥିବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବ୍ୟାରିକେଡ୍ ଲଗାଇ ଭିଡ଼ ହଟାଇବାକୁ ଚେଷ୍ଟା କରିଛି।

ଭାରତରେ ହିଜାବ ପିନ୍ଧିବା ପାଇଁ ଓକିଲାତି କରି ଆନ୍ଦୋଳନ ହେଉଥିବା ବେଳେ ଇରାନ୍‌ରେ ହିଜାବରୁ ନାରୀକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ଚାଲିଛି। କେବଳ ଇରାନ କାହିଁକି ଅନେକ ଦେଶରେ ମଧ୍ୟ ହିଜାବ ବିରୋରେ ମୁସଲମାନ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଭଲ ଭାବରେ ହିଜାବ ପିନ୍ଧି ନଥିବାରୁ ଇରାନ ମଶା ଅମିନୀ ନାମକ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଇାରାନ ମୋରାଲିଟି ପୁଲିସ ଅଟକ ରଖିଥିଲା। ଅମିନୀଙ୍କ ମୃତ୍ୟୁ ପରେ ଇରାନ୍‌ ସପ୍ତାହ ହେଲା ବିଦ୍ରୋହ ତେଜିଛି। ଦେଶରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରି ହିଜାବରୁ ନାରୀକୁ ମୁକ୍ତି କରିବାକୁ ଆନ୍ଦୋଳନ ଚାଲିଛି ।

Related Posts