ବୃଦ୍ଧି ପାଇବ ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ !

ନୂଆଦିଲ୍ଲୀ : ୨୦୨୦ ମସିହାରେ ଅମିତ ଶାହଙ୍କ ଠାରୁ ବିଜେପିର ଅଧ୍ୟକ୍ଷ ଦ୍ୱାୟିତ୍ୱ ନେଇଥିବା ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବା ବେଳେ, ୨୦୨୪ ଏପ୍ରିଲ୍‌ରୁ ମେ ମାସ ମଧ୍ୟରେ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜଣେ ବିଜେପି ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନଡ୍ଡା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ୱସ୍ତ ହୋଇଥିବା ବେଳେ ତାଙ୍କ କାର୍ଯ୍ୟକଳାପ ମଧ୍ୟ ଦଳ ପାଇଁ ସଫଳ ହୋଇଛି । ଯାହାକୁ ବିଚାର କରି ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇପାରେ । ନଡ୍ଡା ୨୦୧୯ରେ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦ ଜାନୁଆରୀ ୨୦୨୦ରୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । ୨୦୨୩ ଜାନୁଆରୀରେ ତାଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାକୁ ଯାଉଛି ।

ବିଜେପିର ଦଳୀୟ ନିୟମ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ଟର୍ମ ବା ୩-୩ ବର୍ଷ ପାଇଁ ଅଧ୍ୟକ୍ଷ ପଦରେ ରହିପାରିବ । ଅନ୍ୟ ଏକ ପ୍ରବଧାନ ଅନୁସାରେ ୫୦ ପ୍ରତିଶତ ରାଜ୍ୟରେ ଆନୁଷ୍ଠାନିକ ନିର୍ବାଚନ ସରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରିଯିବ । ଅଗଷ୍ଟ ମାସରେ ଏନେଇ ଦଳୀୟ ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ବିଭିନ୍ନ ରାଜ୍ୟର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଗୁଜୁରାଟ, ହିମାଚଳ ପ୍ରଦେଶରେ ନିର୍ବାଚନ ହେବାକୁ ଥିବା ବେଳେ କର୍ଣ୍ଣାଟକ, ତ୍ରିପୁରା, ମେଘାଳୟ, ମିଜୋରାମ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରେ ବିଧାନସଭା ଆଗାମୀ ବର୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହିତ ଦଳ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି।

Related Posts