ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ୧୦୫ ବର୍ଷିୟା ବୃଦ୍ଧା । ନିର୍ବାଚନ ଆୟୋଗଙ୍କ ଗାଇଡ୍‌ଲାଇନକୁ ଏଡ଼ାଇ ପୋଲିଂ ବୁଥକୁ ଆସି ଦେଲେ ଭୋଟ୍ । ବୃଦ୍ଧାଙ୍କ ପାଇଁ ପୋଷ୍ଟାଲ୍ ବାଲଟ୍‌ରେ ଭୋଟ ଦେବାର ବିକଳ୍ପ ବ୍ୟବସ୍ଥା ରହିଥିଲେ ମଧ୍ୟ ସେ ବୁଥ୍‌କୁ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ଆଜି ଚାଲିଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୧୦୫ ବର୍ଷିୟା ନାରୋ ଦେବୀ ମତଦାନ କେନ୍ଦ୍ରକୁ ଆସି ମତସାବ୍ୟସ୍ତ କରିଛନ୍ତି ।

ଶନିବାର ହିମାଚଳ ପ୍ରଦେଶରେ ବିଧାନସଭା ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ସମସ୍ତେ । ତେବେ ଚାମ୍ବା ଜିଲ୍ଲାର ଚୁରାହ ବିଧାନସଭା ଆସନରେ ମତଦାନ କେନ୍ଦ୍ରରୁ ଆସି ଭୋଟ୍ ଦେଇଛନ୍ତି ୧୦୫ ବର୍ଷିୟା ବୃଦ୍ଧା ନାରୋ ଦେବୀ। ତେବେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ନରୋ ଦେବୀ ବିକଳ୍ପ ବ୍ୟବସ୍ଥାକୁ ଏଡ଼ାଇ ମତଦାନ କେନ୍ଦ୍ରକୁ ଆସି ଇଭିଏମ୍ ମେସିନରେ ଭୋଟ୍ ଦାନ କରିଛନ୍ତି । ଗଣତନ୍ତ୍ରର ପବିତ୍ର ପର୍ବରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ହିମାଳଚଳ ପ୍ରଦେଶରେ ବିଧାନସଭା ପାଇଁ ଭୋଟି ଗ୍ରହଣ ଚାଲିଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ସଂଧ୍ୟା ଯାଏଁ ଚାଲିବ । ହିମାଚଳ ବିଧାନସଭାର ମୋଟ୍ ୬୮ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୨୪ ମହିଳାଙ୍କ ସମେତ ମୋଟ୍ ୪୧୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ଦିନ ୩ଟା ସୁଦ୍ଧା ୫୫ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି ।