
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲିଉଡ ବାଦଶାହ ଶାହରୁଖ ଖାନ ଓ ତାଙ୍କ ଟିମ୍କୁ ଶୁକ୍ରବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ଅଟକାଇଲେ କଷ୍ଟମ ବିଭାଗର ଅଧିକାରୀ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ଶାହାରୁଖ ଖାନ୍ ତାଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଏୟାରପୋର୍ଟରୁ ବାହାରିଥିଲେ। ହେଲେ ଶାହାରୁଖଙ୍କ ବଡିଗାର୍ଡ ରବି ଓ ଟିମ୍ର ଅନ୍ୟ ସଦସ୍ୟଙ୍କୁ କଷ୍ଟମ ଅଧିକାରୀ ଛାଡି ନଥିଲେ।
ମାମଲା ଥିଲା ଲକ୍ଷାଧିକ ଟଙ୍କାର ଘଣ୍ଟା ଭାରତକୁ ଆଣିବା ଓ ଏଥିପାଇଁ କଷ୍ଟମ ଡ୍ୟୁଟି ନଦେବା। ପଚରା ଉଚରା ପରେ ସକାଳ ପ୍ରାୟ ୫ଟା ବେଳେ ଜରିମାନା ବାବଦକୁ ୬.୮୩ ଲକ୍ଷ ଟଙ୍କା ଦେବାପରେ ସମସ୍ତଙ୍କୁ ଛଡା ଯାଇଥିଲା।
ଏୟାରପୋର୍ଟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶାହାରୁଖ ନିଜ ଟିମ୍ ସହିତ ଏକ ପ୍ରାଇଭେଟ୍ ଚାର୍ଟର ପ୍ଲେନ୍ VTR – SG ରେ ମୁମ୍ବାଇ ଫେରିଥିଲେ। ସେ ଦୁବାଇରୁ ଏକ ବୁକ୍ ଲଞ୍ଚ ଇଭେଣ୍ଟରେ ଯୋଗଦେଇ ଫେରିଥିଲେ । ଏହାପରେ ମୁମ୍ବାଇ ଏୟାରପୋର୍ଟର ଟି-୩ ଟର୍ମିନାଲରେ ରାତି ପ୍ରାୟ ସାଢେ ୧୨ଟା ବେଳେ ରେଡ୍ ଚ୍ୟାନେଲ ପାର କରିବା ସମୟରେ ଶାହାରୁଖ ଓ ତାଙ୍କ ଟିମ୍ର ବ୍ୟାଗ୍ରେ କଷ୍ଟମ ଅଧିକାରୀ ପ୍ରାୟ ୧୮ ଲକ୍ଷ ଟଙ୍କାର ମୂଲ୍ୟର ଏକ ଘଣ୍ଟା ପାଇଥିଲେ। ବ୍ୟାଗ୍ରେ ବହୁ ଘଣ୍ଟାର ଖାଲି ଡବା ମଧ୍ୟ ଥିଲା। ଏସବୁର କଷ୍ଟମ ଡ୍ୟୁଟି ଦିଆଯାଇନଥିଲା, ତେଣୁ ଶାହାରୁଖଙ୍କ ସହିତ ତାଙ୍କ ଟିମ୍କୁ ପଚରା ଉଚରା ପାଇଁ ଅଟକା ଯାଇଥିଲା।
ଶାହାରୁଖଙ୍କ ଟିମ୍ ପାଖରେ ରୋଲେକ୍ସ ଘଣ୍ଟାର ୬ଟି ଡବା, Espirit ବ୍ରାଣ୍ଡର ୮ ଲକ୍ଷ ଟଙ୍କର ଏକ ଘଣ୍ଟା, ଆପଲ ସିରିଜ୍ର ଘଣ୍ଟା ଓ ବାବୁନ୍ ଆଣ୍ଡ ଜୁର୍ବକର ମଧ୍ୟ ଘଣ୍ଟା ମିଳିଥିଲା। କଷ୍ଟମ ବିଭାଗ ଘଣ୍ଟାର ମୂଲ୍ୟ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା ବୋଲି କହିଛି। ତେବେ ଘଣ୍ଟାକ ଭିତରେ ଶାହାରୁଖ ଓ ପୂଜାଙ୍କୁ ପଚରା ଉଚରା ପରେ କଷ୍ଟମ ଅଧିକାରୀ ଛାଡିଥିଲେ, ହେଲେ ତାଙ୍କ ଟିମ୍ ସଦସ୍ୟଙ୍କୁ ଅଟକାଇ ରଖିଥିଲେ। ଶେଷରେ ଶାହାରୁଖଙ୍କ ବଡିଗାର୍ଡ ରବି କଷ୍ଟ ଡ୍ୟୁଟି ଟଙ୍କା ବାବଦରେ ୬ ଲକ୍ଷ ୮୩ ଟଙ୍କା ଦେଇଥିଲେ। କିଛି ରିପୋର୍ଟ ଅନୁସାରେ, ଏହି ଟଙ୍କା ଶାହାରୁଖଙ୍କ କ୍ରେଡିଟ୍ କାର୍ଡରୁ ଦିଆଯାଇଥିବାର ଜଣାପଡିଛି।